ଭୁବନେଶ୍ବର: ସ୍ମାର୍ଟସିଟିର ମୁଖ୍ୟ ବ୍ୟବସାୟସ୍ଥଳୀ କୁହାଯାଉଥିବା ଏକ ନମ୍ବର ହାଟର ଉନ୍ନତିକରଣ ନାମରେ କୋଟି କୋଟି ଟଙ୍କାର ଜମି ଜାଲିଆତି ଏବଂ କଳାବଜାରୀ ହେଉଥିବା ନେଇ ଅଭିଯୋଗ ହୋଇଛି । ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ ଏହି ଅଭିଯୋଗ କରିଛି। ଭୁବନେଶ୍ବର ମହାନଗର ନିଗମର ଡେପୁଟି କମିଶନର(ରାଜସ୍ବ) ଜମି ଜାଲିଆତିରେ ସମ୍ପୃକ୍ତ ଥିବା ସହ ସରକାରୀ ରାଜସ୍ବକୁ ହଡ଼ପ କରିଥିବାର ଅଭିଯୋଗ ହୋଇଛି।
ସଙ୍ଗଠନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ଆବାହକ ସୁବ୍ରତ ନନ୍ଦ କହିଛନ୍ତି ଯେ, ହାଟ ତିଆରି ହେବା ପରେ ଏହାର ପରିଚାଳନା ଦାୟିତ୍ବ ବିଏମସିକୁ ହସ୍ତାନ୍ତର କରାଯାଇଥିଲା। ସେତେବେଳେ ଏହା ମଧ୍ୟକୁ ଭାରିଯାନ ପ୍ରବେଶ, ପରିବା ହୋଲସେଲ ନ କରିବା ଆଦି କେତେକ ସର୍ତ୍ତ ଦିଆଯାଇଥିଲା। ଏହାକୁ ଉଲ୍ଲଙ୍ଘନ କରି ମାର୍କେଟକୁ ଆସୁଥିବା ଭାରିଯାନ ଠାରୁ ଶୁଳ୍କ ଆଦାୟ ଏବଂ ହୋଲସେଲ ବ୍ୟବସାୟ ହେଉଛି ବୋଲି ସେ କହିଛନ୍ତି। ଯାହାକି ସେହି ଅଧିକାରୀଙ୍କ ଇଙ୍ଗିତରେ ତାଙ୍କ ସ୍ବାର୍ଥ ପାଇଁ କରାଯାଉଥିବ କୁହାଯାଇଛି।