ଭୁବନେଶ୍ବର: ଆଜିଠୁ(ଶନିବାର) ରାତି ୯ଟାରୁ ରାଜଧାନୀ ଭୁବନେଶ୍ବରରେ ସମ୍ପୂର୍ଣ୍ଣ ସଟରଡାଉନ । ଅର୍ଥାତ ଆରମ୍ଭ ହେବ କର୍ଫ୍ୟୁ ବା ୧୪୪ ଧାରା ଜାରି । ତା' ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ଅର୍ଥାତ ପ୍ରତ୍ୟହ ଏହିପରି ରାତି ୯ ରୁ ସକାଳ ୫ଟା ଯାଏଁ କଟକଣା ଜାରି ରହିବ ରାଜଧାନୀରେ । ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିବ ।
ରାତି ୮ଟାରୁ ଦୋକାନ ବଜାର ବନ୍ଦ କରି ଘରକୁ ଫେରିବାକୁ ଲୋକଙ୍କୁ ନିର୍ଦ୍ଦେଶ ରହିଛି । ସହରରେ ପୋଲିସର ପାଟ୍ରୋଲିଂ ଗାଡି ବୁଲିବ । ଏଥିସହ ସହରର ୨୫ଟି ଜାଗାରେ ପୋଲିସ ଚେକ ପୋଷ୍ଟ ରହିବ । ଅର୍ଥାତ ରାତି ତମାମ ପୋଲିସ ଅଫିସର ଓ କର୍ମଚାରୀ ଡ୍ୟୁଟିରେ ରହି ଚେକିଂ କରିବେ ଓ କଡା ନଜର ରଖିବେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବକୁ ୩ଟି ଡିଭିଜନରେ ଅନ୍ତର୍ଭୁକ୍ତ କରି ତିନି ଡିଏସପିଙ୍କୁ ଦିଆଯାଇଛି ଦାୟିତ୍ବ । ପୋଲିସ ପିସିଆର ଭ୍ୟାନ ମଧ୍ୟ ପଇଁତରା ମାରିବ । ଫଳରେ ଅମାନିଆଙ୍କୁ ବାହାନାବାଜି ପାଇଁ ମୌକା ଦିଆଯିବନି । ଯେଉଁଠି ଯିଏ ନିୟମ ଉଲଙ୍ଘନ କରିବ, ସେଠାରେ ଏପିଡେମିକ ଆକ୍ଟରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ।