ଓଡିଶା

odisha

ETV Bharat / city

ମହମ୍ମଦ ସିକନ୍ଦର ଆଲାମଙ୍କ ସଙ୍ଗୀତରେ ଝୁମିଲା ରବିନ୍ଦ୍ର ମଣ୍ଡପ - ଶ୍ରୋତାମଣ୍ଡଳୀ

ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ସିକନ୍ଦର ଆଲାମ ଗାଇଥିବା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସଙ୍ଗୀତରେ ଝଙ୍କୃତ ହୋଇଥିଲା ସ୍ଥାନୀୟ ରବିନ୍ଦ୍ରମଣ୍ଡପ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

By

Published : Jul 28, 2019, 3:26 AM IST

ଭୁବନେଶ୍ବର: ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ସିକନ୍ଦର ଆଲାମ ଗାଇଥିବା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସଙ୍ଗୀତରେ ଝଙ୍କୃତ ହୋଇଥିଲା ସ୍ଥାନୀୟ ରବିନ୍ଦ୍ରମଣ୍ଡପ । ଉଭୟ ନୂଆ ଓ ପୁରୁଣା ପୀଢ଼ିର କଣ୍ଠଶିଳ୍ପୀଙ୍କ କଣ୍ଠରୁ ପୁରୁଣା ଦିନର ସେହି ସୃତିମଧୁର ଗୀତ ସବୁକୁ ଶୁଣି ଉପସ୍ଥିତ ଶ୍ରୋତାମଣ୍ଡଳୀ ବେଶ ରୋମାଞ୍ଚିତ ହୋଇଥିଲେ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ମହମ୍ମଦ ସିକନ୍ଦର ଆଲାମଙ୍କ 80 ତମ ଜୟନ୍ତୀ ଅବସରରେ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଓ ସିକନ୍ଦର ଆଲାମ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଆୟୋଜିତ ଉତ୍ସବରେ 2019 ମସିହା ପାଇଁ ସିକନ୍ଦର ଆଲାମ ସ୍ମୃତି ସମ୍ମାନ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ପ୍ରଦାନ କରାଯାଇଥିଲା । ଏହା ସହିତ 2019 ମସିହାର ବାଦ୍ୟରତ୍ନ ସମ୍ମାନରେ ବିଶିଷ୍ଟ ତବଲା ବାଦକ ପ୍ରସନ୍ନ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା ।

ପରେ ପରେ ବରିଷ୍ଠ ଓ ନୂତନ ପୀଢ଼ିର କଳାକାରଙ୍କ କଣ୍ଠରୁ ଗୋଟିଏ ପରେ ଗୋଟିଏ ସିକନ୍ଦର ଆଲାମ ଗାଇଥିବା ସଙ୍ଗୀତର ଧାରା ଶ୍ରାବଣ ଛୁଟି ଥିଲା । ସପନର ପଥେ ପଥେ ଠାରୁ ଆରମ୍ଭ କରି ଆରେ ମିତ ଆ ସଙ୍ଗାତ , ମାୟାବିନୀ ବନ ଯୋଛନା, ଜାମିନିର ଶେଷ ଜହ୍ନ ଭଳି ଅନେକ ମନଛୁଆଁ ସଙ୍ଗୀତକୁ ଶିଳ୍ପୀମାନେ ଶ୍ରୋତା ମାନଙ୍କ ନିକଟରେ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମରେ ଭାଷା, ସାହିତ୍ୟ , ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଆଲାମଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ଦିଗରେ ସଙ୍ଗୀତର ବେଶ ଅବଦାନ ଥିବା କହିଥିଲେ ସେ । ଏହି ଅବସରରେ ରାଜଧାନୀରେ ଆଲାମଙ୍କ ପୂର୍ଣ୍ଣ ଅବୟବ ସ୍ଥାପନ ନିମନ୍ତେ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । ଏହି ଉତ୍ସବରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details