ଭୁବନେଶ୍ବର: ଅବସର ଥିଲା ସ୍ବରବର୍ଣ୍ଣ କବିତା ଆସରର । ଯେଉଁଠି କନିଷ୍ଠ କବିମାନଙ୍କ ଲିଖିତ କବିତାକୁ ଓଡିଶାର ବରିଷ୍ଠ ଓ ବିଶିଷ୍ଠ କବିମାନେ ନିଜେ ଆବୃତ୍ତି କରିଥିଲେ। ଯାହାକୁ ନେଇ ସମଗ୍ର ପରିବେଶ ପ୍ରେମ,ପ୍ରାପ୍ତି ଓ ରୋମାଞ୍ଚ ମଧ୍ୟରେ ଶରତର ଏହି ସନ୍ଧ୍ୟା ଏକ ପ୍ରକାର ପ୍ଲାବିତ ହୋଇ ଉଠିଥିଲା।
ଅସୀମ ବସୁ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଅସୀମ ବସୁଙ୍କ ଜନ୍ମଦିନ ଅବସରରେ ସ୍ଥାନୀୟ ରେଡ଼କ୍ରସ ଭବନ ସଭା କକ୍ଷ୍ୟରେ ଆୟୋଜିତ ହୋଇଥିଲା ଏହି ସ୍ବରବର୍ଣ୍ଣ ଉତ୍ସବ। ନବମ ସଂସ୍କରଣରେ ଆୟୋଜିତ ଏହି ଉତ୍ସବରେ ଓଡିଆ କାବ୍ୟ ସାହିତ୍ୟର ବିଶିଷ୍ଟ କବି ଯଥା ପ୍ରତିଭା ଶତପଥୀ, ହୃଷିକେଶ ମଲ୍ଲିକ, ଦେବଦାସ ଛୋଟରାୟ, ରାଜେନ୍ଦ୍ର କିଶୋର ପଣ୍ଡା ପ୍ରମୁଖ 11ଜଣ କବିଙ୍କ ସମେତ ବର୍ତ୍ତମାନର କବିମାନେ ନୂତନ କବିତା ଲେଖୁଥିବା ଯୁବକ ଯୁବତୀଙ୍କ ସୁନ୍ଦର ସୁନ୍ଦର କବିତାକୁ ଆବୃତି କରିଥିଲେ।
ଏହି ସନ୍ଧ୍ୟାରେ ଭାସ୍ବତୀ ବସୁ ସ୍ବାଗତ ଭାଷଣ ଦେଇଥିବାବେଳେ କବି ଦେବଦାସ ଛୋଟରାୟ ଉଦ୍ଘାଟନୀ ଭାଷଣ ଦେଇଥିଲେ ଏବଂ କଥାକାର ଓ କବି ଅଜୟ ସ୍ବାଇଁ ସଭା ପରିଚାଳନା କରିଥିଲେ।