ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି ଆଧାରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ପରୀକ୍ଷା (Central University Entrance Test) ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ୧୩ଟି ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀମାନେ ଦେଶରେ ଥିବା ଶତାଧିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ । ଏନେଇ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିୟୁଇଟି ପରୀକ୍ଷା ବ୍ୟବସ୍ଥା ନେଇ ତାମିଲନାଡୁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପତ୍ରର ଉତ୍ତରରେ ଲେଖିଛନ୍ତି । ଜାତୀୟ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କ ଜ୍ଞାନକୁ ଗଠନମୂଳକ ମୂଲ୍ୟାଙ୍କନ କରିବାକୁ ଗୁରୁତ୍ୱ ଦେଉଛି । କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଏକାଧିକ ବିଶ୍ୱବିଦ୍ୟାଳୟ ପାଇଁ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ ।
ଏହାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଉପରେ ଆର୍ଥକ ବୋଝ ହ୍ରାସ ପାଇବ ଏବଂ ସେମାନଙ୍କୁ ଏକାଧିକ ସୁଯୋଗ ମିଳିବ । ଛାତ୍ରଛାତ୍ରୀ ମାନେ ୧୩ଟି ଭାଷାରେ ପ୍ରବେଶିକା ପରୀକ୍ଷା ଦେଇପାରିବେ ଏବଂ ଦେଶର ଶତାଧିକ ପରୀକ୍ଷା କେନ୍ଦ୍ରରୁ ନିଜ ଇଚ୍ଛାନୁସାରେ ପରୀକ୍ଷା କେନ୍ଦ୍ର ଚୟନ କରିପାରିବେ । ବିଭିନ୍ନ ରାଜ୍ୟ ବୋର୍ଡ ମାନଙ୍କର ମୂଲ୍ୟାଙ୍କନ ପଦ୍ଧତି ଭିନ୍ନ ଭିନ୍ନ ରହିଛି । ଏହି ପରୀକ୍ଷାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ନେଉଥିବା କୋଚିଂକୁ ବନ୍ଦ କରିବା । ଏହାବ୍ୟତୀତ ଦ୍ୱାଦଶ ଶ୍ରେଣୀ ବିଷୟର ଜ୍ଞାନ ଆଧାରରେ ସ୍ନାତକସ୍ତରୀୟ ପ୍ରବେଶିକା ପରୀକ୍ଷାର ସିଲାବସ୍ ପ୍ରସ୍ତୁତ କରାଯାଇଛି । ଏହା ସାମାଜିକ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଶେଷ ଲାଭ ଦେବ ।