ଭୁବନେଶ୍ବର: ରାଜ୍ୟ ମୁଖ୍ୟ ଶାସନ ସଚିବ ପଦରୁ ବିଦାୟ ନେଇଛନ୍ତି ଆଦିତ୍ୟ ପ୍ରସାଦ ପାଢୀ । ଯଦିଓ ଦାୟିତ୍ବ ହସ୍ତାନ୍ତର ସୋମବାର କରିବେ ତେବେ ଶନିବାର ତାଙ୍କର ଶେଷ କାର୍ଯ୍ୟ ଦିବସ ଥିଲା । ଶନିବାର ଅନ୍ତିମ ଦିନରେ ଆଦିତ୍ୟ ପାଢୀ ନିଜ ସମୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାମ ସହ ବିଭିନ୍ନ ବିଭାଗ ସହ ସମନ୍ବୟ ରଖିବା ବଡ ଉପଲବ୍ଧି ବୋଲି କହିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ପାଢୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଗତ ତିନି ବର୍ଷ ଆଠ ମାସ କାର୍ଯ୍ୟ ବେଶ ଆତ୍ମସନ୍ତୋଷ ଥିଲା । ସରକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ସଫଳ ହୋଇଛୁ । ଏଥିପାଇଁ ସମସ୍ତ ବିଭାଗର ଅଧିକାରୀ ମାନେ କୋଠର ପରିଶ୍ରମ କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବରେ ଆମ ରାଜ୍ୟ ପ୍ରଗତି କରିଛି । ମୁଖ୍ୟତଃ ଗ୍ରାମଞ୍ଚଳ ହାଉସିଂ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ।
ଏଥିସହ ପାନୀୟ ଜଳ କ୍ଷେତ୍ରରେ ମଧ୍ୟ ବେଶ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି । ଆସନ୍ତା ତିନି ବର୍ଷ ପରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ଜଳ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ସେହିପରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବି ରାଜ୍ୟ ପ୍ରଗତି କରିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ମ୍ୟାଲେରିଆ ରୋଗ କ୍ଷେତ୍ରରେ ଓଡିଶା ଆଶାନୁରୂପ ସଫଳତା ପାଇବା ପରେ ‘ଓ୍ଵାର୍ଲଡ ହେଲଥ ଅରଗାନାଇଜେସନ’ ତରଫରୁ ପୁରସ୍କୃତ ହୋଇଛି ରାଜ୍ୟ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ରାଜ୍ୟ ବେଶ ସଫଳତା ପାଇଛି । ବିଗତ ଦିନରେ ହୋଇଥିବା ପ୍ରାକୃତିକ ଦୁର୍ବିପାକକୁ ରାଜ୍ୟ ସଫଳତା ସହ ମୁକାବିଲା କରିଛି ବୋଲି ସେ କହିଛନ୍ତି ।