ଭୁବନେଶ୍ବର: କଂଗ୍ରେସ ଦଳ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ‘ଚାଷୀ ଫସଲ ବୀମା ଟଙ୍କା, କୃଷି ଋଣ ପାଇବାରୁ ବଞ୍ଚିତ, ଚାଷୀ କୁଳ ହତାଶ’ ସମ୍ପର୍କିତ ବିଷଦ ଆଲୋଚନା ହୋଇଛି । ଚାଷୀ ବୀମା ଟଙ୍କା ପାଉନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିବାବେଳେ ଜବାବ ରଖିଛନ୍ତି ସମବାୟ ମନ୍ତ୍ରୀ । ଯେଉଁ କମ୍ପାନୀ ଚାଷୀଙ୍କୁ ଫସଲ ବୀମା ଦେବାରେ ହଇରାଣ କରିବା ଅଭିଯୋଗ ଆସିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।
ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଗତ ଏକ ବର୍ଷ ହେଲା ଚାଷି ବୀମା ଟଙ୍କା ପାଇନାହାଁନ୍ତି । ଗତ 2020- 21 ଖରିଫ ଋତୁରେ ଅନେକ ଚାଷୀ ବୀମା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ବୀମା ଟଙ୍କା ମିଳି ନଥିବାରୁ ଚାଷୀ ଋଣ ପରିଶୋଧ କରି ପାରୁ ନାହିଁନ୍ତି । ଘରୋଇ ବୀମା କଂପାନୀ ମାନେ ଲାଭ ଖାଉଛନ୍ତି । ଭାଗ ଚାଷୀଙ୍କୁ ଶୋଷଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କୁ ଚିଠି ଲେଖନ୍ତୁ । ଘରୋଇ ବୀମା କମ୍ପାନି ବଦଳରେ ସରକାରୀ ବୀମା କମ୍ପାନୀ ଜରିଆରେ ଫସଲ ବୀମା କରାଯାଉ ବୋଲି ନରସିଂହ ଦାବି କରିଛନ୍ତି । ସମବାୟ ବ୍ୟାଙ୍କରେ ନୂଆ ଚାଷୀଙ୍କୁ ଋଣ ଦିଆଯାଉନାହିଁ ବୋଲି ଅଭିଯୋଗ ହୋଇଛି । ସେଠାରେ କେବଳ ପିସି କାରବାର ଚାଲିଛି । ନୂଆ ଋଣ ଆଳରେ ପୁରୁଣା ଋଣକୁ ବଢାଯାଇ ଚାଷୀଙ୍କ ଉପରେ ବୋଝ ଲଦାଯାଉଛି । ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ନରସିଂହ ।
ସେପଟେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ରାଜ୍ୟକୁ 11ଟି କ୍ଲାଇମେଟିକ ଏବଂ 6 ଟି କ୍ଳଷ୍ଟରରେ ବିଭକ୍ତ କରାଯାଇଛି । ଏହି ଆଧାରରେ ଫସଲ ବୀମା ପାଇଁ ଜିଲ୍ଲା ସ୍ତରରେ ଟେଣ୍ଡର କରାଯାଉଛି । କ୍ଲଷ୍ଟର ସଂଖ୍ୟା କାମ ଥିବାରୁ ଘରୋଇ ବୀମା କମ୍ପାନୀ ମାନେ ଏକଚାଟିଆ କାରବାର କରୁଛନ୍ତି । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କ୍ଳଷ୍ଟର ବଢ଼େଇବାକୁ ଦାବି କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଳିଙ୍ଗ ।