ଭୁବନେଶ୍ବର:ରାଜଧାନୀରେ ବଢୁଛି ଅପରାଧ । ବର୍ଷ ଆରମ୍ଭରୁ ଲୁଟ ଛିନତାଇ ଭଳି ମାମଲା ସାମ୍ନାକୁ ଆସୁଛି । ମିଳିଥିବା ସୂଚନା ଅନୁସାରେ, ୨୦ ଦିନରେ ୨୦ ଛିନତାଇ ହୋଇଛି । ୭ଟି ସୁନାଚେନ ଛିନତାଇ ହୋଇଥିବା ବେଳେ ୧୩ଟି ମୋବାଇଲ ଛିନତାଇର ରିପୋର୍ଟ ପୋଲିସ ହାତରେ ଲାଗିଛି । ରାସ୍ତା କଡଠୁ ଆରମ୍ଭ କରି ଗଳି କନ୍ଦିରେ ଉତ୍ପାତ କରୁଛନ୍ତି ଅପରାଧି ।
ଫଳରେ ହାତରୁ ମୋବାଇଲ ଭ୍ୟାନିଟ ସହ ଗହଣା ଝାମ୍ପିନେଇ ଚମ୍ପଟ ମାରୁଛନ୍ତି ଲୁଟେରା । ଯାହା ଏବେ ରାଜଧାନୀବାସୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଏପରିକି ଛିନତାଇ ପାଇଁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ବୃତ୍ତ । ମାରଣାସ୍ତ୍ର ଧରି ରକ୍ତମୁଖା ହେବା ସହ ଚାପୁଡା ଓ ବିଧା ପକାଇ ମୋବାଇଲ ନେଇ ଛୁ ମାରୁଛନ୍ତି ଲୁଟେରା ।
ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ବର ନୟାପଲ୍ଲୀରେ । ଜଣେ ସାମ୍ବାଦିକଙ୍କ ବେକରେ କଟୁରୀ ଲଗାଇ ଝାମ୍ପିଲେ ଫୋନ, ଟଙ୍କା ସହ ଗହଣା। ଗୋଟିଏ ଗୋଟିଏ ଥାନା ଏଭଳି ୨ ରୁ ୩ ରିପୋର୍ଟ ନିତିଦିନ ଆସୁଛି । ଏଣିକି ଛିନତାଇର (FIR) ନ କରି ପୋଲିସ ଷ୍ଟେସନ ଡାଏରୀ କରି ରେକର୍ଡ ମେଣ୍ଟେନ କରୁଛି । ତେବେ ଚୋରି ଓ ଛିନତାଇ ଯୋଗୁଁ ଲୋକଙ୍କ ସମସ୍ୟା ବଢୁଛି । ଏଥିପାଇଁ କମିସନରେଟ ପୋଲିସ ସ୍ପେଶାଲ ଡ୍ରାଇଭ କରୁଛି।
ଇତିମଧ୍ୟରେ ଚୋରି ଛିନତାଇ ହୋଇଥିବା ମୋବାଇଲ ଧରାପଡିବା ପରେ ସେସବୁକୁ ଫେଜ ଫେଜରେ ଲୋକଙ୍କୁ ଫେରାଯାଉଛି । ଯାହାର କ୍ରମରେ ପୂର୍ବରୁ ଜୋନାଲ ଏସିପ ମୋବାଇଲ ଫେରାଉଥିବା ବେଳେ ଏବେ ଡିସିପି ଅଫିସରେ ସ୍ବତନ୍ତ୍ର ମେଳା କରି ଫୋନ ଫେରାଇଛନ୍ତି ପୋଲିସ ଅଧିକାରୀ ।