ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଲକଡାଉନ ବେଳେ ଖାଁ ଖାଁ ରାଜଧାନୀର ସମସ୍ତ ପୋଲିସ ଷ୍ଟେସନ । ଥାନାରେ ଦାଖଲ ହେଉନି ଆଉ ପୂର୍ବପରି କ୍ରାଇମ ରିପୋର୍ଟ । ଲକଡାଉନ ପ୍ରଭାବରେ କମିଛି ଅପରାଧିକ କାର୍ଯ୍ୟକଳାପ । ବିଗତ ଦିନ ଅପେକ୍ଷା ଏବେ ଥାନାରେ ଦାଖଲ ହେଉଛି କାଁ ଭାଁ ଅଭିଯୋଗ ।
ଗତ 21 ଦିନ ମଧ୍ୟରେ ରାଜଧାନୀର 22ଟି ଥାନାକୁ ଆସିଛି ମାତ୍ର 94 ଅଭିଯୋଗ । ଯେଉଁଥିରେ 40ଟି ଅଭିଯୋଗ ଲକଡାଉନ ଉଲଙ୍ଘନକାରୀଙ୍କ ବିରୋଧରେ ଓ 25ଟି ମଦ ତଥା ନିଶା ନଜିତ କାରବାର ବିରୋଧରେ ପୋଲିସ ପକ୍ଷରୁ ମାମଲା ଦାଏର ହୋଇଛି । ସେହିପରି 11ଟି ଅଭିଯୋଗ ଚୋରି ତଥା ଲୁଟପାଟ ବିରୋଧରେ ହୋଇଥିବା ବେଳେ 19ଟି ଅଭିଯୋଗ ଘରୋଇ ହିଂସା ବିରୋଧରେ ଆସିଛି । ଅନ୍ୟପଟେ ଲକଡାଉନ ସମୟରେ ଲୋକେ ଘରେ ଅଧିକ ସମୟ ବିତାଉଥିବାରୁ ଘରୋଇ ହିଂସା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ପରେ ବୁଧବାର ଘରୋଇ ହିଂସା ଅଭିଯୋଗ ପାଇଁ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଜାରି ହୋଇଛି ଏକ ହ୍ୱାଟସ ଅପ୍ ନମ୍ବର । ଏହି ନମ୍ବରଟି ହେଉଛି – ୭୨୦୫୦୦୬୦୩୯ ।