ଭୁବନେଶ୍ବର/କଟକ:ସାଇବର ଠକଙ୍କ ସନ୍ଧାନରେ ଓଡିଶା କ୍ରାଇମବ୍ରାଞ୍ଚର ତନାଘନା । ମୟୂରଭଞ୍ଜରେ ଠକଙ୍କ ଆଡ୍ଡା ଉପରେ କ୍ରାଇମବ୍ରାଞ୍ଚ ଟିମ ଚଢ଼ାଉ କରିଛି। ବେତନଟି ଭଣ୍ଡଗାଁରେ ଏଭଳି ରାକେଟର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । KYC ଅପଡେଟ କରିବା ଆଳରେ ଦେଶର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ମେସେଜ ପଠାଇବା ସହ ସେମାନଙ୍କୁ ଠକେଇ କରୁଥିଲେ ଏହି ଗ୍ୟାଙ୍ଗର ସଦସ୍ୟ। ଟେଲିକମ ବିଭାଗର ତଥ୍ୟ ଆଧାରରେ ଠକାମି ମେସେଜ ଆସୁଥିବା ଲୋକେସନକୁ ଟ୍ରାକ କରି ଠକଙ୍କ ଆଡ୍ଡା ଉପରେ କ୍ରାଇମବ୍ରାଞ୍ଚ ଚଢାଉ କରିଥିଲା । ସେଠାରୁ ଏକାଧିକ ପ୍ରି ଆକ୍ଟିଭ ସିମ ସମେତ ସିମ ବକ୍ସ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ସାମଗ୍ରୀ ଜବତ କରାଯାଇଛି ।
ଗିରଫ ଅଭିଯୁକ୍ତମାନେ ହେଲେ ବିଶାଲ ଖଣ୍ଡେଲଓ୍ବାଲ, ତାପସ ପାତ୍ର, ନିଗମ ପାତ୍ର, ସୁଧାଶୁଂ ଦାସ,ଅଜୁପାତ୍ର ଓ ଅଜୟ ପାତ୍ର । ସମସ୍ତ ଅଭିଯୁକ୍ତଙ୍କ ଘର ମୟୁରଭଞ୍ଜ ବେତନଟୀ ଅଞ୍ଚଳରେ । ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବିଶାଲ ଖଣ୍ଡେଲଓ୍ବାଲ ଥିବା ବେଳେ ଗ୍ୟାଙ୍ଗର ଅନ୍ୟ ସଦସ୍ୟାମାନଙ୍କ ପାଖରେ ସାଇବର ସମ୍ପର୍କିତ ଗଭିର ଜ୍ଞାନ ଥିଲା । ସେହି ଜ୍ଞାନକୁ ବ୍ୟବହାର କରି ଉକ୍ତ ଗ୍ୟାଙ୍ଗ KYC ଅପଡେଟ କରିବା ଆଳରେ ଲୋକଙ୍କୁ ମେସେଜ କରୁଥିଲା ଏବଂ ଠକେଇ ମଧ୍ୟ କରୁଥିଲେ । ବଡ଼ କଥା ହେଉଛି ଏହି ସାଇବର ଠକମାନେ ମେସେଜ ପଠାଇବା ପାଇଁ ସିମ୍ ବକ୍ସ ବ୍ୟବହାର କରୁଥିଲେ ।
କଣ ଏହି ସିମ୍ ବକ୍ଟ ଏବଂ କିପରି ଏହାକୁ ବ୍ୟବହାର କରାଯାଏ ?
ଶହ ଶହ ସିମକୁ ମିଶାଇ କରି ପ୍ରସ୍ତୁତ ହୋଇଥିବା ଏମିତି ଏକ ଡିଭାଇସ୍ ଯାହା ଜରିଆରେ କମ ସମୟ ମଧ୍ୟରେ ଅଧିକ ଲୋକଙ୍କୁ ମେସେଜ ପଠାଯାଇପାରିବ । ଏହାକୁ ବ୍ୟବହାର କରି ଗୋଟିଏ ସମୟରେ ହଜାର ହଜାର ହଜାର ମେସେଜ ପଠାଯାଇପାରିବ । ଘଣ୍ଟାରେ 55 ହଜାର 600ଟି ମେସେଜରେ ପଠାଇ ହେବ ।
ଏମାନଙ୍କ ପାଖରୁ ଦୁଇଟି ସିମ ବକ୍ସ ଜବତ ହୋଇଛି ଏବଂ ପ୍ରତି ସିମ୍ ବକ୍ସରେ 512 ଲେଖାଏଁ ସିମ ଖଞ୍ଜା ଯାଇଥିଲା । ଏହି ଗ୍ୟାଙ୍ଗ ଦିନକୁ ସାଢେ 6 ଲକ୍ଷ ହିସାବରେ ଦୁଇଟି ସିମ ବକ୍ସ ଜରିଆରେ ଦୈନିକ ପ୍ରାୟ 13 ଲକ୍ଷ ମୋବାଇଲକୁ ଫେକ ମେସେଜ ପଠାଉଥିଲେ । ଯେଉଁମାନେ ଏହି ଫେକ ମେସେଜର ଉତ୍ତର ଦେଉଥିଲେ, ସେମାନଙ୍କ ଠାରୁ ବିଭିନ୍ନ ସେବା ପ୍ରଦାନ କରିବା ଆଳରେ ଅର୍ଥ ଠକୁଥିଲେ।