ଭୁବନେଶ୍ବର: ବିଧାନସଭାରେ ମାଲକାନଗିରି SDPO ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜର ଝଡ । ଆଦିବାସୀଙ୍କ ଉପରେ ଆକ୍ରମଣକୁ ନେଇ ଏକାଠି ହେଲେ ବିଜେପି ଓ କଂଗ୍ରେସ । ପୂର୍ବାହ୍ନରେ ପ୍ରଶ୍ନକାଳ ସହ ଶୂନ୍ୟକାଳରେ ଲାଗି ରହିଲା ହଟ୍ଟଗୋଳ । ଘଟଣାକୁ ନେଇ ମିଳିତ ଭାବେ ସରକାରଙ୍କୁ ଆକ୍ରମଣ କଲେ ବିରୋଧୀ । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ବିରୋଧୀଙ୍କ ଆକ୍ରମଣ ଦେଖି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିବୃତ୍ତି ରଖି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି କହିଛନ୍ତି ।
ଆଜି ପୂର୍ବାହ୍ନ ଶୂନ୍ୟକାଳରେ ଏହି ଉଠାଇ କଂଗ୍ରେର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଗତ 7 ତାରିଖ ଦିନ ରାତି 1 ଟାରୁ 2 ଟା ମଧ୍ୟରେ ଚିତ୍ରକୋଣ୍ଡା ଥାନା ଅଧିନରେ ଆସୁଥିବା REC 13 ନମ୍ବର ଗାଁରେ ଦବଙ୍ଗଗିରି ଦେଖାଇଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ । ଏସଡିପିଓ ଗରିବ ଆଦିବାସୀଙ୍କୁ ମାଡ ମାରିଛନ୍ତି । ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ମଧ୍ୟ ମାଡ ମାରିଛନ୍ତି । ଏସଡିପିଓ ନିଶା ସେବନ କରି ମହିଳାଙ୍କୁ ମାଡ ମାରିବା ସହ ଦୁର୍ବ୍ୟବହାରର ସୀମା ଲଙ୍ଘିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ ତାରା ।
ସେହିପରି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଯେଉଁ ରାଜ୍ୟରେ ରାଜ୍ୟ ସରକାର ମହିଳା ଓ ଆଦିବାସୀଙ୍କ ପାଇଁ ବିକାଶର ଡିଣ୍ଡିମ ପିଟିଥିବା ରାଜ୍ୟ ସରକାର, ସେହି ରାଜ୍ୟର ମହିଳା ଓ ଆଦିବାସୀଙ୍କୁ କିଭଳି ସମ୍ମାନ ଦିଆଯାଉଛି ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଚିତ୍ରକୋଣ୍ଡା ଘଟଣା । ମୋହନ ମାଝୀ ଘଟଣାକୁ ନିନ୍ଦା କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ନଚେତ ବିଜେପି ଘଟଣାକ ନେଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ମୋହନ ।
ସେହିଭଳି ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସରକାର କହିଛନ୍ତି ଘଟଣାକୁ ମୁଁ ଦୃଢ ନିନ୍ଦା କରୁଛି । ଯଦି ଏପରି ଘଟଣା ଘଟିଥାଏ ତାହା ଗ୍ରହଣୀୟ ନୁହେଁ । ଆଦିବାସୀଙ୍କ ପ୍ରତି ଦୁର୍ବ୍ୟବହାର ଗ୍ରହଣୀୟ ନୁହେଁ । ବିଭାଗ ଘଟଣାର ତର୍ଜମା କରିବ । ଯାହାର ଭୁଲ ଥିବା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଦିବାସୀ ମନ୍ତ୍ରୀ କହିଛନ୍ତି ।