ଭୁବନେଶ୍ବର: ଖରସ୍ରୋତା ବୃହତ୍ ଜଳ ପ୍ରକଳ୍ପ ବିବାଦ । ବିରୋଧକାରୀଙ୍କ ଉପରେ ପ୍ରଶାସନର ଦମନଲୀଳା ଓ ଗିରଫଦାରୀକୁ ତୀବ୍ର ନିନ୍ଦା ବାମପନ୍ଥୀ ଦଳ । ରାଜ୍ୟର 4ଟି ବାମପନ୍ଥୀ ଦଳ ଭଗବତୀ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହାକୁ ନିନ୍ଦା କରିଛି । ଏଥିସହ ଗିରଫ ବ୍ୟକ୍ତିଙ୍କୁ ଖଲାସ କରିବା ସଙ୍ଗେ ସଙ୍ଗେ ମକଦ୍ଦମା ପ୍ରତ୍ୟାହାର କରି ଆନ୍ଦୋଳନକାରୀଙ୍କ ସହ ଆଲଚୋନା କରିବା ଏବଂ ସହମତି ଯାଏଁ ନିର୍ମାଣ କାର୍ଯ୍ୟ ସ୍ଥଗିତ କରିବାକୁ ଦଳ ଆହ୍ବାନ ଦେଇଛି ।
ଦଳର ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାର ଓ ପ୍ରଶାସନ ଏହି ପ୍ରକଳ୍ପର ଡିପିଆର ବା ସବିଶେଷ ପ୍ରୋଜେକ୍ଟ ରିପୋର୍ଟ ଏ ପର୍ଯ୍ୟନ୍ତ ପ୍ରକାଶ କରି ନାହାନ୍ତି । ପଡ଼ୋଶୀ ଜିଲ୍ଲାର ୩ଟି ବ୍ଳକକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରକଳ୍ପ ନିର୍ମାଣର ଉଦ୍ଦେଶ୍ୟ ବୋଲି ଯାହା କୁହାଯାଉଛି, ତାହା ମିଛକୁ ଆଖିଠାର ଭଳି । ସରକାରଙ୍କ ଅସଲ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ନାଁରେ ଧାମରାଠାରେ ଆଦାନୀର ସାମୁଦ୍ରିକ ବନ୍ଦର ଓ ଏହାର କମ୍ପାନୀମାନଙ୍କୁ ପାଣି ଯୋଗାଇବା । ଏଣୁ ଖରସ୍ରୋତା ନଦୀର ଜଳ ଅନୁପାତ ଏହାର ତୀରବର୍ତ୍ତୀ ଅଞ୍ଚଳର ଜଳସଙ୍କଟ, କୃଷି, ପରିବେଶ ଏବଂ ଭିତରକନିକାର ଜୈବ ବିବିଧତା ଉପରେ ପ୍ରଭାବକୁ ଅଣଦେଖା କରି ପ୍ରକଳ୍ପ କରାଯାଉଛି ।