ଭୁବନେଶ୍ବର: କୋଭିଡ ମୃତ୍ୟୁ ହାର ଜାତୀୟ ମୃତ୍ୟୁ ହାର ଠାରୁ ଓଡିଶାରେ କମ । ରାଜ୍ୟ ସରକାରଙ୍କ କୋଭିଡ ମୁକାବିଲା ଏବେ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି । କେବଳ ମୃତ୍ୟୁ ନୁହେଁ ରୋଗୀ ସେବା ମେଡ଼ିସିନ କଳାବଜାରୀ ରୋକିବା ଆଦି କ୍ଷେତ୍ରରେ ଅନ୍ୟ ରାଜ୍ୟକୁ ବାଟ ଦେଖାଇଛି ଓଡିଶା ।
ସାରା ବିଶ୍ବରେ ମହାମାରୀ କୋରୋନା ବ୍ୟାପିବାରେ ଲାଗିଛି । ରାଜ୍ୟରେ ମଧ୍ୟ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଓଡିଶାରେ କୋରୋନା ମୃତ୍ୟୁ ଜାତୀୟ ହାର ଠାରୁ କମ ରହିଛି । ଦେଶରେ 10 ଲକ୍ଷ ଜନସଂଖ୍ୟାରେ 68 ଜଣ କୋରୋନାରେ ମୃତ୍ୟୁ ବରଣର ଶିକାର ହେଉଥିବା ବେଳେ ଓଡିଶାରେ 17 ଜଣ ପ୍ରାଣ ହରାଉଛନ୍ତି। ଜାତୀୟ କୋରୋନା ମୃତ୍ୟୁ ହାର ଠାରୁ କମ ଥିବା 23 ଟି ରାଜ୍ୟ ଓ କେନ୍ଦ୍ରଶାସିତ ମଧ୍ୟରେ ଓଡିଶା 17 ନମ୍ବର ସ୍ଥାନରେ ରହିଛି । ଓଡିଶା ସହ ଝାଡ଼ଖଣ୍ଡରେ ମଧ୍ୟ ସମାନ ମୃତ୍ୟୁ ହାର ରହିଛି । ଓଡିଶା ପରେ ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ବିହାର, ମିଜୋରମ ରହିଛି ।