ଭୁବନେଶ୍ବର: ରାଜ୍ୟରେ ବଢିବ କୋଭିଡ ଟେଷ୍ଟ । ଯେଉଁ ଅଞ୍ଚଳରେ ସଂକ୍ରମଣ ଅଧିକ ଦେଖାଯାଉଛି ସେହି ଅଞ୍ଚଳଗୁଡିକରେ ଟେଷ୍ଟିଂ ବଢାଯିବ । ଏନେଇ ଦୈନିକ ଆରଟିପିସିଆର ଟେଷ୍ଟ ସଂଖ୍ୟା 11 ହଜାରକୁ ବୃଦ୍ଧି କରାଯାଇଛି । ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ କମ୍ ରହଛି । ତେଣୁ ଜନସାଧାରଣଙ୍କୁ ଭୟଭୀତ ନ ହେବାକୁ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
କଟକ, ଭୁବନେଶ୍ବର, ନୂଆପଡା ଓ ସୁନ୍ଦରଗଡରେ ସଂକ୍ରମଣ ବଢିଛି । ଏସବୁ ସ୍ଥାନରେ ଦ୍ରୁତ ସଂକ୍ରମଣ ଉପରେ କଡା ନଜର ରଖିଛୁ । ବିଶେଷକରି ସୁନ୍ଦରଗଡ ଓ ନୂଆପଡା ଉପରେ ତୀକ୍ଷ୍ଣ ନଜର ରହିଛି । ସୀମାବର୍ତ୍ତୀ ଜିଲ୍ଲା ହୋଇଥିବାରୁ ବାହାର ରାଜ୍ୟର ଲୋକେ ଏଠାରେ ପ୍ରବେଶ କରୁଛନ୍ତି । କିଛି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବାରୁ ଆମକୁ ଖୁବ୍ ସତର୍କ ରହିବାକୁ ହେବ । ମୁଖ୍ୟତଃ ସୀମାବର୍ତ୍ତୀ ଅଞ୍ଚଳଗୁଡିକୁ ଅଧିକ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ଯାହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ଯାନିଯାତ୍ରା, ଉତ୍ସବ, ବିବାହ ଆଦିରେ ସରକାର କଟକଣା ଲଗାଇଛନ୍ତି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।