ଭୁବନେଶ୍ବର:ଆସନ୍ତା ୨୫ରୁ କଟକଣା ମଧ୍ୟରେ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ଏହା ପୂର୍ବରୁ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ । ମାର୍ଚ୍ଚ ୨୩ ଓ ୨୪ରେ ଦୁଇଦିନ ଧରି ବିଧାନସଭାରେ ବିଧାୟକ, କର୍ମଚାରୀ, ସାମ୍ବାଦିକଙ୍କ କୋଭିଡ଼ ଟେଷ୍ଟ କରାଯିବ । ପୌର ନିର୍ବାଚନ ଥିବାରୁ ଜିଲ୍ଲାସ୍ତରରେ ବିଧାୟକମାନେ କରୋନା ଟେଷ୍ଟ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
କୋଭିଡ଼ କଟକଣା ଭିତରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏଥର ବି ୫ ଘଣ୍ଟା ଚାଲିବ ଗୃହ। ସ୍ବଳ୍ପ ଅଧିବେଶନରେ ଲମ୍ବା ପ୍ରସଙ୍ଗ ନେଇ ଗୃହରେ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଅଧିବେଶନର ପ୍ରଥମ ଦିବସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯିବ ।
ସେହିଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିବେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୨୫, ୨୬ ଓ ୨୮ ତାରିଖ ୩ ଦିନ ଧରି ଗୃହରେ ଆଲୋଚନା କରାଯିବ। ୩୦ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ । ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ଜରିଆରେ ଗୃହରେ ବ୍ୟୟ ମଞ୍ଜୁର ବିଲ ପାରିତ କରାଯିବ।