ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟରେ ବିଭିନ୍ନ ପ୍ରକାର କଟକଣା ଜାରି କରିଛନ୍ତି । କୋଭିଡ୍ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ୨୧ ଜଣ ବରିଷ୍ଠ ଆଇଏଏସଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛନ୍ତି ସରକାର । କୋରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମୁକାବିଲା ଲାଗି ରାଜ୍ୟ ସରକାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାସ୍ତରରେ ମୁତୟନ କରିଛନ୍ତି । ସେମାନେ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲାସ୍ତରରେ କାମ କରିବେ । ଏ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବଲାଙ୍ଗିର, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାର ସଂକ୍ରମଣ ପ୍ରତିରୋଧ କାର୍ଯ୍ୟକୁ ତଦାରଖ କରିବା ଲାଗି ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରାଙ୍କୁ ସ୍ୱତନ୍ତ୍ର ଭାବରେ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ତଦାରଖ ପାଇଁ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ମହାନଗର ନିଗମରେ ତଦାରଖ ଦାୟିତ୍ୱ ନେବେ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ଓ ଡକ୍ଟର ଏନ୍.ତିରୁମାଳା ନାୟକ । ସେହିପରି ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧୁସୂଦନ ପାଢୀଙ୍କୁ ଦିଆଯାଇଥିବା ବେଳେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟିଙ୍କୁ ନିଯୁକ୍ତ କରାଯାଇଛି ।