ଓଡିଶା

odisha

ETV Bharat / city

ସମ ହସ୍ପିଟାଲରେ କୋଭିଡ-୧୯ ଭ୍ୟାକସିନ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ

ସୋମବାର ସମ ହସ୍ପିଟାଲରେ କୋଭିଡ-୧୯ ଭ୍ୟାକସିନ ପରୀକ୍ଷଣ ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଛି । ତେବେ ୧୮ ରୁ ୫୫ ବର୍ଷ ବୟସର ସ୍ୱେଚ୍ଛାସେବୀ ମାନଙ୍କ ଶରୀରରେ ଏହି ଟୀକା ପରୀକ୍ଷଣ କରାଯିବ । ଅଧିକ ପଢନ୍ତୁ...

By

Published : Jul 20, 2020, 6:52 PM IST

ସମ ହସ୍ପିଟାଲରେ କୋଭିଡ-୧୯ ଭ୍ୟାକସିନ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ
ସମ ହସ୍ପିଟାଲରେ କୋଭିଡ-୧୯ ଭ୍ୟାକସିନ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: କୋଭିଡ-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସପିଟାଲରେ ସୋମବାର ଆରମ୍ଭ ହୋଇଛି । ଭାରତର ପ୍ରଥମ କୋଭିଡି-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଦେଶର ୧୨ଟି ଆନୁଷ୍ଠାନକୁ ସ୍ୱୀକୃତି ଦିଆଯାଇଛି । ହେଲେ ଓଡିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସପିଟାଲକୁ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ମନୋନୀତ କରଯାଇଛି ।

ଆଇସିଏମଆର ଓ ଭାରତ ବାୟୋଟେକର ମିଳିତ ସହଯୋଗରେ ଏହି ଭ୍ୟାକସିନର ପ୍ରସ୍ତୁତି ଚାଲିଥିବାବେଳେ ସମ ହସ୍ପିଟାଲରେ ଏହାର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ଭାବେ ପ୍ରିଭେନ୍ଟିଭ ଆଣ୍ଡ ଥେରାପିଉଟିକ କ୍ଲିନିକାଲ ଟ୍ରାଏଲ ୟୁନିଟର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି)ର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି, ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଯୋଗ ଦେଇଥିଲେ । ଏହାସହ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲର ଡିନ ପ୍ରଫେସର ଗଙ୍ଗାଧର ସାହୁ, ସମ ହସ୍ପିଟାଲର କମ୍ୟୁନିଟି ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ତ୍ରିଲୋଚନ ସାହୁ ଏବଂ ଭ୍ୟାକସିନ ଟ୍ରାଏଲର ମୁଖ୍ୟ ପରୀକ୍ଷକ ତଥା କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଇ ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

ସୋମବାର ଭ୍ୟାକସିନ ଟ୍ରାଏଲର ସ୍କ୍ରିନିଙ୍ଗ ଆରମ୍ଭ କରାଯାଇଥିବା ବେଳେ ୧୮ ରୁ ୫୫ ବର୍ଷ ବୟସର ସ୍ୱେଚ୍ଛାସେବୀ ମାନଙ୍କ ଶରୀରରେ ଏହି ଟୀକା ପରୀକ୍ଷଣ କରାଯିବ ବୋଲି ଡାକ୍ତର ରାଓ କହିଛନ୍ତି । ଏହି ବହୁ ପ୍ରତିକ୍ଷିତ ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ ନିମନ୍ତେ ଓଡ଼ିଶାର ଏକମାତ୍ର ହସ୍ପିଟାଲ ଭାବେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ମନୋନୀତ ହୋଇଛି । ସୋମବାର ଶୁଭାରମ୍ଭ ହୋଇଥିବା କ୍ଲିନିକାଲ ଟ୍ରାଏଲ ୟୁନିଟ ଓଡିଶାର ଏକମାତ୍ର କେନ୍ଦ୍ରଭାବେ ସମ ହସ୍ପିଟାଲରେ ତାର କାର୍ଯ୍ୟ ଆରମ୍ଭ କରିଛି ।

ଏହି କ୍ଲିନିକାଲ ଟ୍ରାଏଲ ୟୁନିଟର ଶୁଭାରମ୍ଭ ପରେ ଗଣମାଧ୍ୟକୁ ସୂଚନା ଦେଇ ଡାକ୍ତର ରାଓ କହିଛନ୍ତିଯେ, 'ଦେଶ ସମେତ ବିଦେଶର ଅନେକ ଗବେଷଣା ଅନୁଷ୍ଠାନ କୋରୋନା ଟୀକାର ପରୀକ୍ଷଣ କରୁଛନ୍ତି । ଏହି ପରୀକ୍ଷଣ ନିମନ୍ତେ ଶୁଭାରମ୍ଭ ହୋଇଥିବା ୟୁନିଟଟି କ୍ଲିନିକାଲ ଟ୍ରାଏଲର ବିଭିନ୍ନ ଦିଗ ଉପରେ ମନୋନିବେଶ କରି କାର୍ଯ୍ୟ କରିବ । ୪ଟି ପର୍ଯ୍ୟାୟରେ ମଣିଷ ଉପରେ ଏହି ପରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି । ସେହିପରି ଏହି କାର୍ଯ୍ୟରେ ଗୁଣବତ୍ତା, ମୂଲ୍ୟବୋଧ, ରୋଗୀଙ୍କ ସୁରକ୍ଷା ଉପରେ ଦୃଢ଼ ଦୃଷ୍ଟି ଦେବୁ'।

ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଏବଂ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାଡାଇଜେସନ କଣ୍ଟ୍ରୋଲର ଅର୍ଗାନାଇଜେସନ ଦ୍ୱାରା ଅନୁମୋଦିତ ଭ୍ୟାକସିନ ହିଁ ଏହି ପରୀକ୍ଷଣରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଏହି କୋରୋନା ମହାମାରୀରୁ ମାନବ ସମାଜକୁ ବଞ୍ଚାଇବା ପାଇଁ ଯେଉଁ ସ୍ୱେଚ୍ଛାସେବୀ ମାନେ ଏହି ଟିକା ପରୀକ୍ଷଣରେ ନିଜକୁ ନିୟୋଜିତ କରିବାକୁ ଚାହୁଁଛନ୍ତି ସେମାନେptctu.soa.ac.inୱେବସାଇଟରେ ନିଜ ନାମ ପଞ୍ଜିକୃତ କରନ୍ତୁ, ଅଥବା ୮୯୧୭୨୧୧୨୧୪ ହ୍ୱାଟସଆପ ନମ୍ବରରେ ଯୋଗାଯୋଗ କରନ୍ତୁ ବୋଲି ଡାକ୍ତର ରାଓ କହିଛନ୍ତି ।

କୋଭିଡ-୧୯ ମହାମାରୀ ଦ୍ୱାରା ଉଦ୍ଭବ ପରିସ୍ଥିତି ଏବଂ ଜନସ୍ୱାସ୍ଥ୍ୟ ନିମନ୍ତେ ଜରୁରୀ ହୋଇପଡ଼ିଥିବା ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନେଇ ପରୀକ୍ଷଣ କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ଆଇସିଏମଆର ପକ୍ଷରୁ ସମ ହସ୍ପିଟାଲକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି । ଆଇସିଏମଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲଜି, ପୁନେ ଦ୍ୱାରା ପୃଥକ କରାଯାଇଥିବା ଏହି ଭାଇରସର ଷ୍ଟ୍ରେନକୁ ନେଇ ଏହି ଚର୍ଚ୍ଚିତ ଭ୍ୟାକସିନ ପ୍ରସ୍ତୁତ କରଯାଉଛି । ଆଇସିଏମଆର ଓ ଭାରତ ବାୟୋଟେକ ମିଳିତ ଭାବରେ ଏହି ଭ୍ୟାକସିନକୁ ପ୍ରସ୍ତୁତ କରୁଛନ୍ତି। ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଏବଂ ଫେଜ-୨ରେ ମଣିଷ ଉପରେ ଏହାର ପ୍ରୟୋଗ ନିମନ୍ତେ ଅନୁମତି ମିଳିସାରିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details