ଭୁବନେଶ୍ବର: ନିଜ ବିବାହ ଉତ୍ସବରେ ସାଙ୍ଗସାଥୀ, ବନ୍ଧୁବାନ୍ଧବ ଓ ପଡୋଶୀଙ୍କୁ ଭୋଜି ଦେବା କଥା ନିହାତି ଶୁଣିଥିବେ । ହେଲେ କେବେ ନିଜ ବିବାହରେ କୁକୁରମାନଙ୍କୁ ଭୋଜି ଦେବା କଥା ଶୁଣିଛନ୍ତି କି ! କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାଜଧାନୀ ଭୁବନେଶ୍ବରର ଜଣେ ଦମ୍ପତି ନିଜ ବିବାହ ଉତ୍ସବକୁ ଏମିତି କିଛି ନିଆରା ଢଙ୍ଗରେ ପାଳନ କରିଛନ୍ତି । ଭୁବନେଶ୍ବର ବୁଦ୍ଧେଶ୍ବରୀ ନିବାସୀ ୟୁରେକା ଅପ୍ତା ଓ ଜୋନା ୟଙ୍ଗ । ଗତ ମାସ 25 ତାରିଖରେ ଉଭୟ ଭୁବନେଶ୍ବରର ଏକ ମନ୍ଦିରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।
500 ବୁଲା କୁକୁରଙ୍କୁ ଖାଇବାକୁ ଦେଇ ବିବାହ ଉତ୍ସବ ପାଳିଲେ ନବଦମ୍ପତି ପିଲାବେଳୁ ପରିଚିତ ଏହି 2 ବନ୍ଧୁ ପଶୁପ୍ରେମୀ । ସେଥିପାଇଁ ସେମାନେ ଏହି ଲକଡାଉନ ସମୟରେ ନିଜ ସାଧ୍ୟମତେ ରାସ୍ତାରେ ବୁଲୁଥିବା ବୁଲା କୁକୁର ମାନଙ୍କୁ ବୁଲି ବୁଲି ଖାଦ୍ୟ ଦେଇଥିଲେ । ଆଉ ଉଭୟ ଯେତେବେଳେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଚିନ୍ତା କରିଥିଲେ ସେତେବେଳେ ନିଜ ବିବାହକୁ କିପରି ସାଧାରଣ ଢଙ୍ଗରେ କରିବେ ଏବଂ ଏଥିରେ ଖର୍ଚ୍ଚ କରିବାକୁ ଥିବା ଅର୍ଥରାଶିକୁ କିପରି ଏକ ଭଲ କାର୍ଯ୍ୟରେ ଲଗାଇବେ ସେ ନେଇ ଇଚ୍ଛା ପ୍ରକାଶ କରିଥିଲେ । ଏହା ପରେ ଉଭୟ ନିଜ ବନ୍ଧୁଙ୍କ ସହ ଯୋଗାଯୋଗ କରିଥିଲେ । ଯେଉଁଠି ସେ ବୁଲା କୁକୁରଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ଅନୁଷ୍ଠାନ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହା ପରେ ଅନୁଷ୍ଠାରେ ଥିବା ପଶୁମାନଙ୍କ ଭରଣପୋଷଣ ପାଇଁ କିଛି ଆର୍ଥିକ ସହାୟତା ଦେବା ସହ ସହରରେ ବିଭିନ୍ନ ସ୍ଥାନରେ ବୁଲୁଥିବା 500 କୁକୁରମାନଙ୍କୁ ଖାଦ୍ୟ ଦେବାର ମଧ୍ୟ ବ୍ୟବସ୍ଥା କରିଥିଲେ ।
ତେବେ ଉଭୟ ନବଦମ୍ପତି ନିଜର ଏଭଳି ପ୍ରୟାସକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । କଥା କହିପାରୁନଥିବା ଏହି ଜୀବମାନଙ୍କ ଉପରେ ଅତ୍ୟାଚାର ନକରି ଟିକେ ଭଲ ପାଇଲେ, ସେମାନେ ତୁମର ଉପକାର କରିବେ ବୋଲି କହିଛନ୍ତି । ସେମାନେ ଆହୁରି କହିଛନ୍ତି ଯେ, ରାଜଧାନୀ ଭୁବନେଶ୍ବର ଏତେ ବଡ଼ ସହର । ହେଲେ ଏଠାରେ ପଶୁପକ୍ଷୀ ମାନଙ୍କ ଚିକିତ୍ସା ନିମନ୍ତେ ଉପଯୁକ୍ତ ଲ୍ୟାବ ଓ ଡାକ୍ତରଙ୍କ ଅଭାବ ରହିଛି । ତେଣୁ ଏ କ୍ଷେତ୍ରରେ ସରକାର ଦୃଷ୍ଟି ଦେଇ ଏମାନଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦେବା ଆବଶ୍ୟକ । ଆଗାମୀ ଦିନରେ ସେମାନେ ମଧ୍ୟ ଏହିପରି କାର୍ଯ୍ୟରେ ସାମିଲ ହୋଇ ନିଜ ସାଧ୍ୟମତେ ଉଦ୍ୟମ କରିବା ସହ ଅନ୍ୟମାନଙ୍କୁ ଏ ଦିଗରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିବେ ବୋଲି ପ୍ରକାଶ କରିଛନ୍ତି ।
500 ବୁଲା କୁକୁରଙ୍କୁ ଖାଇବାକୁ ଦେଇ ବିବାହ ଉତ୍ସବ ପାଳିଲେ ନବଦମ୍ପତି ତେବେ ବସ୍ତୁବାଦୀ ଏହି ଦୁନିଆରେ ଲୋକମାନେ ନିଜ ସ୍ୱାର୍ଥକୁ ଛାଡିଦେଲେ ଅନ୍ୟ କାହାରି ସୁବିଧା ଦେଖନ୍ତିନାହିଁ । ଏପରିକି ସେମାନେ ନିଜର କ୍ଷୁଦ୍ର ସ୍ୱାର୍ଥ ନିକଟରେ ନିଜ ଜ୍ଞାତି, ସ୍ୱଜନ ଓ ବୃଦ୍ଧ ପିତାମାତାଙ୍କୁ ମଧ୍ୟ ଅବହେଳା କରିଥାନ୍ତି । ଏଭଳି ସମାଜରେ କଥା କହିପାରୁନଥିବା ପଶୁପକ୍ଷୀମାନଙ୍କୁ କିଭଳି ଆଦର ମିଳୁଥିବ ତାହା ସହଜରେ ଅନୁମେୟ । ନିକଟରେ ଏହି ଅକୁହା ପଶୁମାନଙ୍କୁ ଲୋକମାନେ କିପରି ନିଷ୍ଠୁରତା ପ୍ରଦର୍ଶନ କରିପାରନ୍ତି ତାହା ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ଏହି ସମାଜରେ ବସବାସ କରୁଥିବା ପ୍ରତି ମଣିଷ ସମ୍ମାନ ନୁହନ୍ତି । ଆଜି ବି କିଛି ଲୋକ ନିଜ ଭିତରେ ମାନବିକତା ଉଦାରତା ପଣିଆକୁ ଜୀବିତ ରଖିଛନ୍ତି । ଆଉ ମଣିଷ ମଧ୍ୟରେ ମାନବିକତା ଓ ଉଦାରତା ଏହି ନିଚ୍ଛକ ସତ୍ୟତା ରାଜଧାନୀ ଭୁବନେଶ୍ବରର ଏହି ନବଦମ୍ପତି ପ୍ରମାଣିତ କରି ଜନମାନସରେ ସାଉଣ୍ଟୁଛନ୍ତି ପ୍ରଶଂସା ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ