ଭୁବନେଶ୍ବର: ଭାରତର ପ୍ରାଣ କେନ୍ଦ୍ର ଗାଁ। ଗାଁ ରହିଲେ ଦେଶ ରହିବ। କୋଭିଡ ବିଷୟରେ ଗାଁ ଲୋକମାନଙ୍କୁ ଅବଗତ କରାଯାଉଛି। ପ୍ରତି ଗ୍ରାମ ପଞ୍ଚାୟତରେ ସଚେତନ ପାଇଁ ବୈଠକ କରାଯାଉଛି ବୋଲି ଆଜି କୋରୋନାକୁ ନେଇ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ୍ ବାଗଚୀ ।
ରାଜ୍ୟର 6798 ଗ୍ରାମପଞ୍ଚାୟତ କର୍ମକର୍ତା ହିଁ ଭାଗ୍ୟବିଧାତା। ଅସାଧାରଣ ସମୟରେ ସେମାନେ ପ୍ରକୃତ ରକ୍ଷକ। ଗାଁ ରହିଲେ ଦେଶ ରହିବ ବୋଲି ସେ କହିଛନ୍ତି । ଏହାସହ କୋଭିଡ 19 ମୁକାବିଲା ପାଇଁ କଟକ ଏସସିବିରେ 416 ଜଣ, ଏମକେସିଜି ବ୍ରହ୍ମପୁରରେ 72 ଜଣ ତଥା 1600 ଆୟୁଷ ନିର୍ଦ୍ଦେଶାଳୟର ସ୍ବାସ୍ଥ୍ୟାଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ଦାନ୍ତ ଚିକିତ୍ସାଳୟର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ମିଶାଇ 906 ଜଣଙ୍କୁ ତାଲିମ ଦିଆଯାଇଛି। ସେହିପରି 1 ଲକ୍ଷ 17 ହଜାର 279 ଜଣ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ମୌଳିକ ତାଲିମ ଦିଆଯାଇଛି ବୋଲି ସେ ଦର୍ଶାଇଛନ୍ତି ।