ଭୁବନେଶ୍ବର: ରାଜ୍ୟର ଷଷ୍ଠ ଆକ୍ରାନ୍ତ ନିଜାମୁଦ୍ଦିନରୁ ଫେରିଥିବା ଜଣାପଡିବା ପରେ ସାମ୍ନାକୁ ଆସିଛି ଆଉ ଏକ ତଥ୍ୟ । ନିଜାମୁଦ୍ଦିନରୁ ଫେରିଥିବା 10 ଜଣ ତାଳଚେରରେ ବୁଲିଥିବା ଜଣାପଡିଛି । କୋରୋନା ଲାଗି ପ୍ରତିଦିନ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୁଖପାତ୍ର ସୁବ୍ରତ ବାଗଚୀ । ସେମାନଙ୍କୁ ଖୋଜା ଚାଲିଥିବା ସେ କହିଛନ୍ତି ।
ସେହିପରି ଆଜି ରାତି ଆଠଟାରୁ ରବିବାର ରାତି ଆଠଟା ପର୍ଯ୍ୟନ୍ତ କଟକ ମହାନଗର ନିଗମ, ଭଦ୍ରକ ପୌରାଞ୍ଚଳ ଓ ଭୁବନେଶ୍ବର ମହାନଗର ନିଗମ ସମେତ ଭୁବନେଶ୍ବର ପାଖ 18ଟି ଗାଁରେ ସଟ୍ଡାଉନ୍ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ଏହି ସମୟରେ ହସ୍ପିଟାଲ, ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ, ସରକାରୀ ଜଳଯୋଗାଣ, ସଫେଇ ଓ ପରିମଳ ସେବା, ବିଦ୍ୟୁତ୍ ସେବା ଓ ସ୍ବତନ୍ତ୍ର ଅନୁମତିପ୍ରାପ୍ତ ଔଷଧ ଦୋକାନ ପାଇଁ ସଟ୍ଡାଉନ୍ କୋହଳ ହେବ । ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବଙ୍କ ଦ୍ବାରା ଚିହ୍ନଟ ଦୂର ଯୋଗାଯୋଗ ସେବା, ପୌରାଞ୍ଚଳ ଦ୍ବାରା ଚିହ୍ନଟ ପେଟ୍ରୋଲ ପମ୍ପ, କମିଶନରେଟ ପୋଲିସ ଦ୍ବାରା ଅନୁମତିପ୍ରାପ୍ତ ବୈଦ୍ୟୁତିକ ଗଣମାଧ୍ୟମ, ପରିବହନ ଗାଡି, ରେଳ ଓ ବିମାନ ଦ୍ବାରା ମାଲ୍ ପରିବହନ କଟକଣା କୋହଳ ହେବ ବୋଲି ସେ କହିଛନ୍ତି ।