ଭୁବନେଶ୍ବର:ପାର୍ବଣରେ ସଂକ୍ରମଣ ଓ ମୂର୍ତ୍ତି ଉଚ୍ଚତା ବିବାଦ ନେଇ ସ୍ବାସ୍ଥ୍ୟ ବିଭାଗର ପ୍ରତିକ୍ରିୟା । କୋରୋନା ପାଇଁ ଅକାଳରେ ଆମେ ଅନେକ ସାଧାରଣ ଲୋକ, ସାମ୍ବାଦିକ ଓ ଡାକ୍ତରଙ୍କୁ ଅକାଳରେ ହରାଇଛୁ । ଆଉ ହରାଇବାକୁ ଦିଅନ୍ତୁ ନାହିଁ । ଆପଣ ମାନେ ଯଦି କୋଭିଡ ଗାଇଡ଼ଲାଇନ ପାଳନ କରିବେ ନାହିଁ ପୁଣି ଥରେ ଆମେ ପୂର୍ବ ସ୍ଥିତିକୁ ଫେରିବା।
ପାର୍ବଣରେ ସଂକ୍ରମଣ ଓ ମୂର୍ତ୍ତି ଉଚ୍ଚତା ବିବାଦ, ପ୍ରଥମେ ଶରୀର ପରେ ଧର୍ମ ପାଳନ ଯଦିଓ ସଂକ୍ରମଣ କମିଛି ତଥାପି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କିଛି ରାଜ୍ୟରେ ସଂକ୍ରମଣ ଏବେ ବି ଅଧିକ ରହିଛି । ପୂର୍ବଥର ମଧ୍ୟ କିଛି ରାଜ୍ୟରେ ସଂକ୍ରମଣ ବଢି ଚାରି ଆଡକୁ ବ୍ୟାପି ଯାଇଥିଲା । ଆଗକୁ ପାର୍ବଣ ଋତୁ ରହିଛି । ତେଣୁ ଆମେ ଏମିତି ଭୁଲ କରିବା ନାହିଁ ଯାହାଦ୍ୱାରା ସଂକ୍ରମଣ ପୁଣି ବଢ଼ିବ । ତେଣୁ କଟକଣା ମାନନ୍ତୁ । ପ୍ରଥମେ ଶରୀରକୁ ଦେଖନ୍ତୁ ପରେ ଧର୍ମ ପାଳନ କରିବା ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।
ମୂର୍ତ୍ତି ଉଚ୍ଚତା ସହ ସଂକ୍ରମଣର ଯଦିଓ ସିଧାସଳଖ ସମ୍ପର୍କ ନାହିଁ ମାତ୍ର ଏହାଦ୍ବାରା ଲୋକଙ୍କ ଭିଡ଼ ବଢିବାର ସମ୍ଭାବନା ରହିବ । ଅନ୍ୟ ରାଜ୍ୟ ମାନେ ମଧ୍ୟ ମୂର୍ତ୍ତି ଉଚ୍ଚତାରେ କିଛି କଟକଣା କରିଛନ୍ତି । ମୂର୍ତ୍ତି ବଡ଼ ହେଲେ ଲୋକେ ଆକର୍ଷିତ ହେବେ, ଭିଡ଼ କରିବେ । ତେଣୁ ଆମେ ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ମୂର୍ତ୍ତି ଉଚ୍ଚତା ପରୋକ୍ଷରେ ସଂକ୍ରମଣ ବଢାଇବ । ମହାରାଷ୍ଟ୍ର ମଧ୍ୟ ଗଣେଷ ପୂଜାରେ ତାହାର ମୂର୍ତ୍ତି ଉଚ୍ଚତା କମାଇଛି । ଓନାମ ପର୍ବ ଦ୍ୱାରା କେରଳରେ ସ୍ଥିତି କଣ ହେଲା ସମସ୍ତେ ଜାଣନ୍ତି । ମୂର୍ତ୍ତି ଉଚ୍ଚତା 2 କି 4 ଫୁଟ ହେଉ ପଛେ ଆମର ଭକ୍ତି ରହୁ । ଜଣେ ସଂକ୍ରମିତ ହେଲେ ଅନେକ ଲୋକ ସଂକ୍ରମିତ ହେବେ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ