ଓଡିଶା

odisha

ETV Bharat / city

ମାତିଲେ ମାଳମାଳ ଭଣ୍ଡବାବା-ଗୁରୁଜୀ, ଉପରମୁହାଁ ପଲିଟିକାଲ ପାରା - ଭଣ୍ଡବାବା

ଆତ୍ମଘୋଷିତ ମାଳମାଳ ଭଣ୍ଡବାବା ଏବଂ ସ୍ବଘୋଷିତ ଗୁରୁଜୀ । ମଝିରେ ମଝିରେ ସାମ୍ନାକୁ ଆସୁଛି ବାବାଙ୍କ ବଦନାମୀ କାହାଣୀ । ଯାହା ପାଇଁ ପଡୁଛି-ଉଠୁଛି ରାଜ୍ୟ ରାଜନୀତି । ଏପଟେ ଗୁରୁଜୀଙ୍କ ଗୁଣ୍ଡାଗିରି, ବାବାଙ୍କ କଳାକାରନାମାକୁ ଧରି ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଅଧିକ ପଢନ୍ତୁ...

ମାତିଲେ ମାଳମାଳ ଭଣ୍ଡବାବା-ଗୁରୁଜୀ, ଉପରମୁଁହା ପଲିଟିକାଲ ପାରା
ମାତିଲେ ମାଳମାଳ ଭଣ୍ଡବାବା-ଗୁରୁଜୀ, ଉପରମୁଁହା ପଲିଟିକାଲ ପାରା

By

Published : Aug 30, 2021, 8:58 PM IST

ଭୁବନେଶ୍ବର:ଠକେଇ, ପ୍ରତାରଣା, ଅତ୍ୟାଚାର, ଯୌନ ଶୋଷଣ, ହିଂସା ଏବଂ ତାଲିବନୀ ଶାସନ ଭଳି କିଛି ସଙ୍ଗୀନ ଅଭିଯୋଗର ଲମ୍ବାଫର୍ଦ୍ଦ ରହିଛି ରାଜ୍ୟର ଆତ୍ମଘୋଷିତ ମାଳମାଳ ଭଣ୍ଡବାବା ଏବଂ ଗୁରୁଜୀଙ୍କ ବିରୋଧରେ । ମଝିରେ ମଝିରେ ରାଜ୍ୟ ରାଜନୀତିକୁ ଉଠାଉଛି-ପକାଉଛି ଭଣ୍ଡବାବାଙ୍କ କଳାକାରନାମା । ଅକଳରେ ପଡୁଛନ୍ତି ସରକାର । ଗୁରୁଜୀଙ୍କ ଗୁଣ୍ଡାଗିରି, ବାବାଙ୍କ ବଦନାମୀ କାହାଣୀକୁ ଧରି ସରକାରଙ୍କୁ ଘେରୁଛନ୍ତି ବିରୋଧୀ । କେତେବେଳେ ରିପୋର୍ଟ ଆସୁଛି ବାବା-ଶାସକ ଦଳ ନେତାଙ୍କ ଡାଇରେକ୍ଟ ଲିଙ୍କ୍ ତ, ଆଉ କେବେ ପୋଲିସ ସହିତ ସଲାସୁତରା ଖବର । ଯାହା ରାଜ୍ୟ ରାଜନୀତି ପାଣିପାଗକୁ ଅଧିକ ଉଷ୍ମ କରିଦେଉଛି ।



ନିକଟରେ ଆଫଗାନିସ୍ତାନକୁ ତାଲିବାନ କବଜା ପରେ ଓଡିଶାରେ ହଠାତ ତାଲିବାନୀ ଶାସନ ନାଁରେ ଏକ ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗଟିଏ ସାମ୍ନାକୁ ଆସିଲା । ଧିରେ ଧିରେ ଘଟଣାର ପର୍ଦ୍ଦାଫାସ ଯେତିକି ରୋଚକ ହେଉଛି, ଘଟଣାରେ ବର୍ତ୍ତମାନ ସରକାରଙ୍କ ଅଡୁଆ ସେତିକି ବଢୁଛି । ମାନବବାଦୀ ସଂଗଠନ ନାଁରେ ଏହାର କିଛି ସଦସ୍ୟଙ୍କ ବର୍ବୋରଚିତ ଅତ୍ୟାଚାର ଏବଂ ଆତଙ୍କରାଜର ଏକ ଭିଡିଓ ଭାଇରାଲ ହେଲା ପରେ, ରାଜ୍ୟରେ ଆଉ ଜଣେ ଗୁରୁଜୀଙ୍କ ଖୁଲମଖୁଲା ଗୁଣ୍ଡାଗିରି ପଦରେ ପଡିଛି । ମାନସ ଦାସ । ମାନବବାଦୀ ସଂଗଠନର ମୁଖ୍ୟ । ଏହି ସଗଠନର କିଛି ସଦସ୍ୟ ନିକଟରେ ବାପ,ପୁଅଙ୍କୁ ଅମାନୁଷିକ ଭାବେ ମାଡ ମାରିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ନିରୀହ ଆଦିବାସୀଙ୍କୁ ଟାର୍ଗେଟ କରି ସଂଗଠନରେ ସାମିଲ ପାଇଁ ଚାପ ପକାଉଥିବା ଅଭିଯୋଗ ହୋଇଥିବାବେଳେ ସଂଗଠନର ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲଗିଛି । ଏପଟେ ଗୁରୁଜୀ-ଶାସକ ଦଳ ନେତାଙ୍କ କନେକସନ ମଧ୍ୟ ପଦାରେ ପଡିଲାଣି । ଯାହାକୁ ନେଇ ଶାସକ ବିରୋଧୀ ମୁଁହାମୁଁହି ।



ସେଭଳି ଆଉ ଏକ ଘଟଣା ହେଲା ବିଜୟାନନ୍ଦ ମହାରାଜଙ୍କ ଠକାମି ମାମଲା । ବିଜୟାନନ୍ଦ ଚୌଧୁରୀ ଓରଫ ସ୍ବାମୀ ବିଜୟାନନ୍ଦ ମହାରାଜ । ଆତ୍ମପ୍ରଚାରିତ ଏବଂ ସ୍ବଘୋଷିତ ଆଉ ଜଣେ ଠକ ବାବା । ଧର୍ମ ପ୍ରଚାର ଏବଂ ସମାଜ ମଙ୍ଗଳ ଆଳରେ କରୁଥିଲେ କୋଟି କୋଟି ଟଙ୍କାର ଅନୈତିକ କାରବାର । ଦାଦାବଟି ଠୁ ଆରମ୍ଭ କରି ଟେଣ୍ଡର ଫିକ୍ସିଂରେ ସମ୍ପୃକ୍ତି ନେଇ ଆସିଛି ଲମ୍ବା ଅଭିଯୋଗ । ଠକେଇ ଅଭିଯୋଗରେ ଗିରଫ ହେବା ପରେ ଖୋଲିଛି ବାବାଙ୍କ ଭିତିରିକାହାଣୀ । ଜଣେ ଠିକାଦାରଙ୍କୁ 3 କୋଟିର ଠକେଇ ମାମଲାରେ ଫସିଛନ୍ତି ମହାରାଜ । OTDC ର ଚେୟାରମ୍ୟାନ କହି ନିଜ ଷ୍ଟାଇଲରେ ଲୁଟୁଥିଲେ ସ୍ବାମୀ ବିଜୟାନନ୍ଦ । ଗତ 22 ତାରିଖରେ ବାବାଙ୍କୁ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ବାନ୍ଧିଥିଲା । ବ୍ରହ୍ମପୁରର ଜଣେ ଠିକାଦାର ଠକେଇ ନେଇ ଏତଲା ପରେ ଫସିଛନ୍ତି ବାବା ।



ସେଭଳି ଆଉ ଏକ ଘଟଣା । ବର୍ଷ 2015 । ଏହି ବର୍ଷ ଦୁଇ ଭଣ୍ଡବାବାଙ୍କ ପାଇଁ ରାଜ୍ୟ ରାଜନୀତି ହୋଇଥିଲା ସରଗରମ । ସାରଥୀ ବାବା ଏବଂ ସୁର ବାବା । ଅନୈତିକ କାର୍ଯ୍ୟକଳାପ ଏବଂ ଏକାଧିକ ଅପରାଧ ମାମଲା ନେଇ ଅଭିଯୋଗ ପରେ ହୋଇଥିଲେ ଗିରଫ । ଆଉ ସମର୍ଥକ ରଚିଥିଲେ ହିଂସାତ୍ମକ ପ୍ରତିଦାବ । 2015, ଅଗଷ୍ଟ 4 ତାରିଖରେ ରାଜ୍ୟର ଏକ ନ୍ୟୁଜ ଚ୍ୟାନେଲରେ ସାରଥୀ ବାବାଙ୍କ ରାଜ୍ୟ ବାହର ଏକ ଫାଇଭଷ୍ଟାର୍ ହୋଟେଲରେ ଜଣେ ଯୁବତୀଙ୍କ ସହ ରାସଲୀଳା ନେଇ ଖବର ବାଜିବା ପରେ ହୁଲୁସ୍ତୁଲ ହୋଇଥିଲା ସମଗ୍ର ଓଡିଶା । ପରେ ବାବାଙ୍କୁ ଅଗଷ୍ଟ 8 ତାରିଖରେ କେନ୍ଦ୍ରାପଡା ଜିଲ୍ଲା ବାରିମୂଳ ଆଶ୍ରମରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ବାବାଙ୍କ ବିରୋଧରେ ଆସିଥିଲା ଯୌନ ଶୋଷଣ ଏବଂ ଠକେଇର ସାଙ୍ଘାତିକ ଅଭିଯୋଗ । ଆଉ ଗିରଫ ପ୍ରତିବାଦରେ ହଜାର ହଜାର ସମର୍ଥକଙ୍କ ଆଇନ ଶୃଙ୍ଖଳା ଭଙ୍ଗ ପୋଲିସ ପାଇଁ ସୃଷ୍ଟି କରିଥିଲା ଚ୍ୟାଲେଞ୍ଜ ।



ସେହିବର୍ଷ ଅଗଷ୍ଟ 31 ତାରିଖରେ ଗିରଫ ହୋଇଥିଲେ ଆଉ ଜଣେ ବାବା । ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁର ବାବାଙ୍କୁ ବ୍ୟାକମେଲିଂ, ମହିଳାଙ୍କୁ ଶାରୀରିକ ନିର୍ଯ୍ୟାତନା, ଯୌନ ଶୋଷଣା, ଅନୈତିକ ଉପାୟରେ ଅସ୍ତ୍ରଶସ୍ତ୍ର ରଖିବା ଏବଂ ଜମି ଜବରଦଖଲ ଅଭିଯୋଗରେ ବାନ୍ଧିଥିଲା ପୋଲିସ । ଏପରିକି ଗିରଫ ସମୟରେ ପୋଲିସ ଆଶ୍ରମରୁ ଦୁଇଟି ବନ୍ଧୁକ ଜବତ କରିଥିଲା । ସୁରବାବାଙ୍କ ବିରୋଧରେ ମଧ୍ୟ ଏକ ନ୍ୟୁଜ ଚ୍ୟାନେଲରେ ଜଣେ ମହିଳା ଯୌନ ଶୋଷଣ ଅଭିଯୋଗ କରିଥିଲେ । ପରେ ଆଶ୍ରମ ନିକଟବର୍ତ୍ତୀ ଲୋକଙ୍କ ରୋଷର ଶିକାର ହୋଇଥିଲେ ବାବା । ଲୋକେ ଜବରଦସ୍ତ ଆଶ୍ରମରେ ପହଞ୍ଚି 14 ଏକରର ବିଶାଳ ଆଶ୍ରମକୁ ଭଙ୍ଗାରୁଜା କରିଥିଲେ । ଆଶ୍ରମ ମଧ୍ୟ ଭୁବନେଶ୍ବର ଠୁ ଅଳ୍ପ ଦୂରରେ ଥିଲା । ଗିରଫ ସମୟରେ EOW ଲକ୍ଷ ଲକ୍ଷ ନଗଦ ଟଙ୍କା ଏବଂ ବିଭିନ୍ନ ସମ୍ପତ୍ତି ଜବତ କରିଥିଲା । ପରେ ସୁରବାବାଙ୍କୁ ସୁପ୍ରିମକୋର୍ଟରୁ ବେଲ ମିଳିଥିଲା ଏବଂ ଝାରପଡା ସ୍ପେଶାଲ ଜେଲରୁ ସେ ରିଲିଜ ହୋଇଥିଲେ । ତେବେ ପରବର୍ତ୍ତି ସମୟରେ ଚିକିତ୍ସାଧୀନ ଅବସ୍ଥାରେ 2020ରେ ତାଙ୍କର ମୃତ୍ୟୁ ଘଟିଥିଲା ।



ସେପ୍ଟେମ୍ବର 2015 । ମାତିଲେ ଆଉ ଜଣେ ଆତ୍ମପ୍ରଚାରିତ ଧାର୍ମିକ ବାବା ବାନା ବାବା । କୋଣାର୍କ-କାକଟପୁର ରୋଡ ବାଲୁଖଣ୍ଡ ଅଭୟାରଣ୍ୟ ପାଖାପାଖି ଅଞ୍ଚଳରେ 20 ଏକର ଜମିରେ ଠିଆ କରିଥିଲେ ବିରାଟ ମଠ । ଜଙ୍ଗଲ ଜମି ଜବରଦଖଲ କରି ମଠ ଠିଆ ହୋଇଥିବା ଅଭିଯୋଗ ହୋଇଥିଲା ଏବଂ ଲୋକେ ମଠ ଭାଙ୍ଗିବା ସହିତ ଜଙ୍ଗଲ ବିଭାଗ ଜବରଦଖଲ ହଟେଇଥିଲା ।



ବର୍ଷ 2019। ସାମ୍ନାକୁ ଆସିଲେ ବିଗବସ୍ ଫେମ୍ ଓମ ବାବା । ପୁରୀର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବାବା ଆଉ ଏକ ବିଶ୍ବ ପ୍ରସିଦ୍ଧ ଦ୍ବିତୀୟ କୋଣାର୍କ ମନ୍ଦିର ଠିଆ କରିବାକୁ ଏକ ମିଡିଆ ରିପୋର୍ଟ ପରେ ଚିହିଁକି ଉଠିଥିଲା ପୁରୀ ପ୍ରଶାସନ । ବାବାଙ୍କ ଆଶ୍ରମ ପରିସରରେ ପୋଲିସ ଏବଂ ଶ୍ରଦ୍ଧାଳୁଙ୍କ ତୁମୁଳକାଣ୍ଡ ଦେଖିବାକୁ ମିଳିଥିଲା ।


ତେବେ ରାଜ୍ୟର କୋଣ ଅନୁକୋଣରେ ଏକାଧିକ ଏଭଳି ଭଣ୍ଡବାବା ଏବଂ କଥାକୁହା ଗୁରୁଜୀଙ୍କ କାହାଣୀ ସାମ୍ନାକୁ ଆସୁଥିଲେ ବି ଅନେକ ଘଟଣା ଆସିପାରୁନାହିଁ । ତେବେ ଏଠାରେ ପ୍ରଶ୍ନଉଠୁଛି- କାହା ପ୍ରୋତ୍ସାହନ ଏବଂ ପୃଷ୍ଠପୋଷକତାରେ ଲମ୍ବୁଛି ଏମାନଙ୍କ ଚେର ? କିପରି ଏମାନେ ଖୁଲମଖୁଲା ଭିଆଉଛନ୍ତି ଗୋଟିଏ ପରେ ଗୋଟିଏ କାଣ୍ତ ? କଏ ଏମାନଙ୍କ ଗଡଫାଦର ? ରାଜନୈତିକ ସ୍ବାର୍ଥ ହାସଲ ପାଇଁ ହେଉ ଅବା ବ୍ୟକ୍ତିଗତ ସ୍ବାର୍ଥ-ବଡ ବଡ ହସ୍ତିଙ୍କ ଛାତ୍ରଛାୟାତଳେ ଏମାନେ ବଢୁଛନ୍ତି କହିଲେ କିଛି ଭୁଲ ହେବନି ।

ABOUT THE AUTHOR

...view details