ଭୁବନେଶ୍ବର:ଚୁକ୍ତିଭିତ୍ତିକ ନିଯୁକ୍ତି ଦାବିରେ ଗଣ ଆନ୍ଦୋଳନ । ଓଡ଼ିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଗଣ ଆନ୍ଦୋଳନ କରିବେ ସମସ୍ତ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ମାଧ୍ୟମିକ ତଥା କନିଷ୍ଠ ଶିକ୍ଷକ । ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଗାନ୍ଧୀ ମାର୍ଗରେ ବିଶାଳ ଗଣ ବିକ୍ଷୋଭ ହେବ । ଏନେଇ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ, ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି ରାଜ୍ୟ ସରକାରଙ୍କ କର୍ମଚାରୀ ମାରଣାନୀତିକୁ ବିରୋଧ କରିଛନ୍ତି ।
ଚୁକ୍ତିଭିତ୍ତିକ ପ୍ରଥା ସମ୍ପୂର୍ଣ୍ଣ ବିଲୋପ, ଚୁକ୍ତିଭିତ୍ତିକ ଅବଧି ଶେଷ କରି ସ୍ଥାୟୀ ହୋଇଥିବା କର୍ମଚାରୀ ଏବଂ ପ୍ରାଥମିକ ଶିକ୍ଷକମାନଙ୍କ ୬ ବର୍ଷ ଚାକିରି ଅବଧିକୁ ପଦୋନ୍ନତି ଓ ପେନସନ୍, ଇନକ୍ରିମେଣ୍ଟ ଇତ୍ୟାଦିରେ ଗଣନା ଭଳି ମୁଖ୍ୟ ଦାବି ଧରି ଆନ୍ଦୋଳନ କରୁଛି ମହାସଂଘ । ଯଦି ରାଜ୍ୟ ସରକାର ସେପ୍ଟେମ୍ବର ୧୦ ତାରିଖ ମଧ୍ୟରେ ପୂରଣ ନକରନ୍ତି, ତେବେ ସାରା ରାଜ୍ୟର ସମସ୍ତ ବିଭାଗର ୭୦ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ, ମାଧ୍ୟମିକ ଶିକ୍ଷକ ଏବଂ କନିଷ୍ଠ ଶିକ୍ଷକମାନେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ମହାତ୍ମା ଗାନ୍ଧୀ ମାର୍ଗରେ ଏକ ବିଶାଳ ଗଣ ବିକ୍ଷୋଭ ଓ ଆଇନ୍ ଅମାନ୍ୟ ଆନ୍ଦୋଳନ କରିବ ବୋଲି ନେତୃମଣ୍ଡଳୀ ସୂଚନା ଦେଇଛନ୍ତି । ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ୩୦ ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ନେତୃମଣ୍ଡଳୀ ଯୋଗଦେଇ ସରକାରୀ ଉଦାସୀନତା, ପକ୍ଷପାତିତା ଓ ଶୋଷଣ ବ୍ୟବସ୍ଥାର ଉଚ୍ଛେଦ ପାଇଁ ସଂଗ୍ରାମ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ମହାସଂଘ ପକ୍ଷରୁ କୁହାଯାଇଛି ଯେ, ‘‘ରାଜ୍ୟର ନିଅଣ୍ଟିଆ ଆର୍ଥିକ ଦୁରାବସ୍ଥା ସମୟରେ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ପ୍ରଚଳନ କରି ରାଜକୋଷକୁ ସମୃଦ୍ଧ କରିଥିଲେ । ସେତେବେଳେ ଓଡ଼ିଶାର ଉଚ୍ଚ ଶିକ୍ଷିତ ଯୁବବର୍ଗ ବିଭିନ୍ନ କଷ୍ଟସାଧ୍ୟ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଚାକିରି ଖଣ୍ଡେ ପାଇବାର ଆଶା ରଖି ଏହି ଚୁକ୍ତିଭିତ୍ତିକ ବ୍ୟବସ୍ଥାକୁ ବାଧ୍ୟ ବାଧକତାରେ ଗ୍ରହଣ କରିଥିଲେ । ଆଶା କରିଥିଲେ, ନିକଟରେ ଯଦି ରାଜ୍ୟର ଆର୍ଥିକ ପ୍ରଗତି ହେବ, ସରକାର ତାଙ୍କ କର୍ମଚାରୀଙ୍କ ପ୍ରତି ନିଶ୍ଚୟ ସଦୟ ହୋଇ ଏହା ପ୍ରତ୍ୟାହାର କରିନେବେ । ରାଜ୍ୟର ସ୍ଥାୟୀ କର୍ମଚାରୀଙ୍କ ଭଳି ବେତନ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ପୁନଃ ପ୍ରଚଳନ କରିବେ । କିନ୍ତୁ ତାହା ହେଲା ନାହିଁ । ଅଧିକନ୍ତୁ ସପ୍ତମ ବେତନ କମିଶନ ଲାଗୁ ହେଲା ପରେ ଚୁକ୍ତିଭିତ୍ତିକ ବ୍ୟବସ୍ଥାରେ ହନ୍ତସନ୍ତ କର୍ମଚାରୀମାନଙ୍କ ସମସ୍ୟା ଆହୁରି ଦୟନୀୟ ହୋଇ ପଡ଼ିଲା ।’’