ଭୁବନେଶ୍ବର: ଶୀତ ଅଧିବେଶନ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା । ଏହାପୂର୍ବରୁ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳକୁ ଘେରିବା ସହ ବିଭିନ୍ନ ଦାବି ଉପସ୍ଥାପନ କରିଛି । ନୟାଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ନବୀନ ପଟ୍ଟନାୟକଙ୍କୁ ସାଢ଼େ 4 କୋଟି ଓଡ଼ିଆଙ୍କ ଠାକୁର ବୋଲି କହିଥିଲେ ଉପବାଚସ୍ପତି । ଓଡ଼ିଆଙ୍କ ଠାକୁର ମହାପ୍ରଭୁ ଜଗନ୍ନାଥ ଉପବାଚସ୍ପତି କେମିତି ଭୁଲିଲେ ପ୍ରଶ୍ନ କରିଛି କଂଗ୍ରେସ । ଏଥିପାଇଁ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ସେପଟେ ଗତ କିଛି ଦିନ ଧରି ବିବାଦରେ ରହିଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପତ୍ତିକୁ ନେଇ କେତେକ ତଥ୍ୟ ରଖିଛି କଂଗ୍ରେସ ।
ମମିତା ମେହେର ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅଭିଯୁକ୍ତ ଥିଲେ । କିନ୍ତୁ ସରକାର ମମିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଯେଉଁ ପ୍ରବାଦ ପୁରୁଷ ତଥା କ୍ୟାପଟେନଙ୍କ ନାମରେ ବିଜେଡି ଦଳ ଚାଲିଛି, ସେହି ଦଳ ଆଜି ଜଣେ ନକଲି କ୍ୟାପଟେନଙ୍କୁ ନିଜ ପାଖରେ ଶରଣ ଦେଇଥିବା କଂଗ୍ରେସ ଅଭିଯୋଗ ଆଣିଛି ।
ନବୀନ କହିଥିଲେ, ଭୋକର ଭୂଗୋଳରୁ କଳାହାଣ୍ଡିକୁ ଆମେ ଉଠାଇ ଦେଇଛୁ । କିନ୍ତୁ ନୀତି ଆୟୋଗ କହିଛନ୍ତି, କଳାହାଣ୍ଡି ଜିଲ୍ଲା ହେଉଛି ସବୁଠାରୁ ଗରିବ ଜିଲ୍ଲା । ଏଭଳି ସ୍ଥିତିରେ ସେଠାକାର ଜନ ପ୍ରତିନିଧିଙ୍କ ସମ୍ପତ୍ତି ମୂଲ୍ୟ ୨୦୧୪ ଓ ୨୦୧୯ ସତ୍ୟପାଠ ଆଧାରରେ ୨ କୋଟିରୁ ୮ କୋଟିକୁ ବଢ଼ିଛି । ଏବେ ତାଙ୍କର ସମ୍ପତ୍ତି ୧୦୦ କୋଟି ଟପିଲାଣି । ଦିବ୍ୟଶଙ୍କରଙ୍କ ୧୭ଟି ବ୍ୟାଙ୍କ ଖାତା ଓ ପ୍ଲଟର ତଥ୍ୟ ରଖିଛି କଂଗ୍ରେସ । ୨୦୦ ଦଳିତ ଲୋକଙ୍କର ସମ୍ପତ୍ତିକୁ ନିଜ ଓ ସମ୍ପର୍କୀୟଙ୍କ ନାମରେ କରିଥିବା କଂଗ୍ରେସ ସଙ୍ଗୀନ ଅଭିଯୋଗ ଆଣିଛି ।