ଓଡିଶା

odisha

ETV Bharat / city

ରାଜଭବନ ଘେରିଲା କଂଗ୍ରେସ, ଶତାଧିକ କର୍ମୀଙ୍କୁ ଉଠାଇନେଲା ପୋଲିସ

ବେକାରୀ ସମସ୍ୟା ଓ ଦରଦାମ ବୃଦ୍ଧି ନେଇ ରାଜଭବନ ଘେରାଉ କଲା କଂଗ୍ରେସ । ରାଜଭବନ ଧସେଇ ପସିବା ସମୟରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି । ଅଧିକ ପଢ଼ନ୍ତୁ

congress protest in bhubaneswar against price hike
ରାଜଭବନ ଘେରିଲା କଂଗ୍ରେସ, ଶତାଧିକ କର୍ମୀଙ୍କୁ ଉଠାଇନେଲା ପୋଲିସ

By

Published : Aug 5, 2022, 4:27 PM IST

ଭୁବନେଶ୍ବର: ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଭୁବନେଶ୍ବର ସ୍ଥିତ ଏଡିଏମ ଅଫିସ ନିକଟରୁ ପଦଯାତ୍ରାରେ ଆସି ରାଜଭବନ ଘେରାଉ ଉଦ୍ୟମ କରିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି । ଏହି ସମୟରେ ରାଜଭବନକୁ ଧସେଇ ପଶିବା ପୂର୍ବରୁ ଶତାଧିକ କଂଗ୍ରେସ ନେତା ଓ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ ।

ରାଜଭବନ ଘେରିଲା କଂଗ୍ରେସ

ଦେଶରେ ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ି ଚାଲିଛି । ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ କରିବା ଫଳରେ ଗରିବ ଏବଂ ମଧ୍ୟମ ଶ୍ରେଣୀକ ଲୋକ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଇଛି । କେନ୍ଦ୍ର ସରକାରଙ୍କ ଜନ ମାରଣା ନୀତିରେ ରାଜ୍ୟ ଭାଗୁଆଳି ସାଜିଛି ବୋଲି ଦଳ ଅଭିଯୋଗ କରିଛି । କଂଗ୍ରେସ ପକ୍ଷରୁ କୁହାଯାଇଛି, '୨୦୧୪ ମସିହାରେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷର ଜନସାଧାରଣଙ୍କୁ "ଅଚ୍ଛେଦିନ"ର ସ୍ବପ୍ନ ଦେଖାଇଥିଲେ । କିନ୍ତୁ ଏହି ୮ବର୍ଷ ଭିତରେ "ଅଚ୍ଛେଦିନ" ପରିବର୍ତ୍ତେ ଭାରତର ଜନସାଧାରଣ ଦୁର୍ବିସହ ଜୀବନ ବିତାଉଛନ୍ତି । ୨୦୧୪ ମସିହାରେ ୧୫.୨ କେଜି ଘରୋଇ ଇନ୍ଧନ ଗ୍ୟାସର ଦାମ ଓଡ଼ିଶାରେ ୪୧୦ ଟଙ୍କା ଥିବାବେଳେ ଆଜି ଏହା ୧୦୮୦ ଟଙ୍କା ପାର ହୋଇ ସାରିଲାଣି । ପେଟ୍ରୋଲ, ଡିଜେଲର ଦାମ ୧୦୦ ଟଙ୍କାକୁ ଅତିକ୍ରମ କରିସାରିଛି । ଲୋକଙ୍କର ସର୍ବନିମ୍ନ ଆବଶ୍ୟକତା ଚୂଡ଼ା, ମୁଢ଼ି, ଗୁଡ଼, ଚାଉଳ, ଚୂନା, ପନିର, ଅଟା, ପେନସିଲ, କଟର ଖାତା ଇତ୍ୟାଦି ଉପରେ ମଧ୍ୟ ୫% ଜିଏସଟି ଲଗାଇବାକୁ ଭୂଲିଲେ ନାହିଁ କେନ୍ଦ୍ର ସରକାର । କିନ୍ତୁ ଜନସାଧାଣରଙ୍କୁ ଏଭଳି ମହଙ୍ଗା ମାଡ଼ରୁ ରକ୍ଷା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ଠୋସ ପଦକ୍ଷେପ ନେଉନାହାନ୍ତି ।"

ବିକ୍ଷୋଭ ସମୟରେ ରାଜଭବନ ନିକଟରେ ପୋଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ଏଥିରେ ଉଭୟ ପକ୍ଷରୁ 10ରୁ ଅଧିକ ଆହତ ହୋଇଛନ୍ତି । ଫଳରେ ପୋଲିସ ଶତାଧିକ କଂଗ୍ରେସ ନେତା ଓ କର୍ମୀଙ୍କୁ ଗିରଫ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details