ଭୁବନେଶ୍ବର: ପରୀକୁ ନ୍ୟାୟ ଦାବିରେ ଗର୍ଜିଲା କଂଗ୍ରେସ । ଗୋଟେ ପଟେ ରାଜ୍ୟ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବାବେଳେ ଅନ୍ୟପଟେ ଆଜି ଯୁବ କଂଗ୍ରେସ ରାଜରାସ୍ତାରେ ଗର୍ଜିଛି ।
ପରୀ ହତ୍ୟା ମାମଲାରେ ଦୀର୍ଘ ୪ ମାସ ବିତିଯାଇଥିଲେ ବି ତା ପରିବାରକୁ ନ୍ୟାୟ ମିଳିଲାନି। ଏପରିକି ପୋଲିସ ପକ୍ଷରୁ ଚାର୍ଜସିଟ ଦାଖଲ ମଧ୍ୟ ହୋଇନାହିଁ। ନୟାଗଡ଼ ଜିଲ୍ଲାର ଜଣେ ସରପଞ୍ଚଙ୍କ ସହ ବାର୍ତ୍ତାଲାପର ଅଡିଓ ସ୍ପଷ୍ଟ ପ୍ରମାଣିତ କରୁଛି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି, ତଦନ୍ତରେ ସ୍ବଚ୍ଛତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରରୁ ଅରୁଣ ସାହୁଙ୍କ ବରଖାସ୍ତ ଦାବି କରି ରାଜରାସ୍ତାକୁ ଓହ୍ଲାଇଥିଲା ଯୁବ କଂଗ୍ରେସ। ଆଗକୁ ଏହି ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତି ।
ସେପଟେ ସମାନ ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ କଂଗ୍ରେସ ଜୋରଦାର ବର୍ଷିଛି । ଦଳ ପକ୍ଷରୁ କୁହାଯାଇଛି କି, ଜୁଲାଇ ୨୪ ରେ ନୟାଗଡ ଜିଲ୍ଲାର ଯଦୁପୁର ଗାଁରେ ଶିଶୁ କନ୍ୟା ପରି ଅପହରଣ ଓ ହତ୍ୟା, ସାରା ରାଜ୍ୟକୁ ଦୋହଲାଇ ଦେଇଛି। ପରୀ ପରିବାର ଲୋକଙ୍କ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ ଘଟଣା ଓ ନ୍ୟାୟ ପାଇଁ ଦାବି ପରେ ମନ୍ତ୍ରୀ ଯୋଉ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିବା କଥା ମନ୍ତ୍ରୀ ରଖିଲେ ନାହିଁ।