ଭୁବନେଶ୍ବର: ରାଜ୍ୟ ସରକାର ମାଳ ମାଳ ଯୋଜନା କରୁଛନ୍ତି କିନ୍ତୁ ଯୋଜନା କେତେ କାର୍ଯ୍ୟକାରୀ ହେଉଛି । ଜାଗା ମିଶନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଲା ରାଜ୍ୟ କଂଗ୍ରେସ। ଅକ୍ଟୋବର ୨୦୧୭ ମସିହାରେ ରାଜ୍ୟ ସରକାର ଓଡିଶାର ସମସ୍ତ ମହାନଗର ପୌର ପରିଷଦ ତଥା ଏନଏସିରେ ଥିବା ୨୫୧୯ ବସ୍ତିରେ ଥିବା ଗରିବ ଲୋକଙ୍କୁ ବାସପୋଯୋଗୀ ଜମି ଯୋଗାଇବା ପାଇଁ ଏକ ଆଇନ ପ୍ରଣୟନ କଲେ ।
୨୦୧୮ ମସିହା ମେ ମାସରେ ଜାଗା ମିଶନ ଶୁଭାରମ୍ଭ ହେଲା । ଏହି ଯୋଜନା ସମସ୍ତ ବସ୍ତିର ରାସ୍ତା ଆଲୋକୀକରଣ, ବିଶୁଦ୍ଧ ପାନୀୟଜଳ ଯୋଗାଣ, ଉଦ୍ୟାନ ଏବଂ ଗୋଷ୍ଠୀ କେନ୍ଦ୍ର କରାଯିବା ସହିତ ବାସପୋଯୋଗୀ ଗୃହ ଯୋଗାଇବା ସହିତ ସହରାଞ୍ଚଳରେ ଆଉ ଅଧିକ ବସ୍ତି ବୃଦ୍ଧିକୁ ରୋକିବା ଏବଂ ବସ୍ତି ଅଞ୍ଚଳର ସଂପୂର୍ଣ୍ଣ ବିକାଶ ଏହାର ମୂଳଲକ୍ଷ ଥିଲା । ଢାଞ୍ଚାଗତ ପରିବର୍ତ୍ତନ କରାଯିବ ବୋଲି ରାଜ୍ୟ ସରକାର ଓଡ଼ିଶାର ୧୮ଲକ୍ଷ ଗରୀବ ବସ୍ତିବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଲେ । ଏହି ଜାଗା ମିଶନ ଯୋଜନାରେ ୨୦୨୨ ମସିହା ସୁଦ୍ଧା ରାଜ୍ୟର ୧୧୪ ଟି ଅର୍ବାନ ଲୋକାଲ ବଡିଜରେ ଥିବା ସମସ୍ତ ଗରୀବ ଲୋକଙ୍କ ଗୃହ ଯୋଗାଇବା ସହିତ ବିଶୁଦ୍ଧ ପାଣି, ରାସ୍ତା, କମ୍ୟୁନିଟି ସେଣ୍ଟର, ପାର୍କ ଏବଂ ଆଲୋକୀକରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଜାଗା ମିଶନ ଜରିଆରେ ୨୦୧୧ ମସିହା ଜନଗଣନା ଭିତ୍ତିରେ ୧ଲକ୍ଷ ୬୫ ହଜାର ପରିବାରଙ୍କୁ ଏହି ସହାୟତା ପ୍ରଦାନ କରାଯିବା କଥା । କିନ୍ତୁ ୨୦୧୮ ମସିହା ମେ ମାସରେ ଟାଟା ଟ୍ରଷ୍ଟ ଓ ନର୍ମାନ ପୋଷ୍ଟର ଭଳି ଦୁଇଟି ସ୍ବେଚ୍ଛାସେବୀ ବା ବଦାନ୍ୟ ଅନୁଷ୍ଠାନ ସହିତ ଜଡ଼ିତ ହେଲେ । କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ୬୦ ହଜାର ପରିବାରଙ୍କୁ ଜମି ଅଧିକାରର ସାର୍ଟିଫିକେଟ ପ୍ରଦାନ କରିଛନ୍ତି (ଏଲଆରସି) କିନ୍ତୁ ୨୦୨୨ ପୁରିବାକୁ ମାତ୍ର ୧ ବର୍ଷ ପାଖାପାଖି ବାକି ରହିଲା । କିନ୍ତୁ ୧ଲକ୍ଷ ୫ ହଜାର ପରିବାରକୁ ବର୍ତମାନ ସୁଦ୍ଧା ବସ୍ତି ଅଞ୍ଚଳର ଜମିର ପଟ୍ଟା ଦାନ କରାଯାଇ ନାହିଁ । ଏହା କେବେ ସରିବ? ଆଉ କେତେବର୍ଷ ଲାଗିବ ଏହି ପରିବାରକୁ ଜାଗା ପ୍ରଦାନ କରିବାରେ । ଜାଗା ମିଶନ ତିନୋଟି ପର୍ଯ୍ୟାୟଭୁକ୍ତ ଥିଲା ପ୍ରଥମ ପର୍ଯ୍ୟାୟରେ ଜମି ଚିହ୍ନଟ ଓ ହସ୍ତାନ୍ତର । ଦ୍ବିତୀୟ ପର୍ଯ୍ୟାୟଟି ବସ୍ତି ଅଞ୍ଚଳର ଆଲୋକୀକରଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଗୃହ ଯୋଗାଇବା କଥା ।
ତୃତୀୟ ପର୍ଯ୍ୟାୟରେ ବସ୍ତି ଅଞ୍ଚଳର ଯୁବକଯୁବତୀ ମାନଙ୍କର ଦକ୍ଷତା ବିକାଶ କରିବା ସହିତ ସେମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଓ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ । କିନ୍ତୁ ଦୁଃଖର କଥା ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ସମସ୍ତ ସହରାଞ୍ଚଳର ବସ୍ତିବାସିନ୍ଦା ମାନେ ରହୁଥିବା ବସ୍ତିର ଆଲୋକିକରଣ କରାଯାଇ ନାହିଁ । ସମସ୍ତଙ୍କ ଘରକୁ ବିଶୁଦ୍ଧ ଜଳ ମଧ୍ୟ ଯୋଗାଇ ଦିଆଯାଇ ନାହିଁ । ବାସଗୃହ କଥା ଛାଡ଼ନ୍ତୁ । ଭୁବନେଶ୍ବର ମହାନଗର ଉପକଣ୍ଠରେ ବହୁ ବସ୍ତିକୁ ଆଜି ମଧ୍ୟ ଏକ ପିଚୁ ରାସ୍ତା ନାହିଁ । ଏବେ ପର୍ଯ୍ୟନ୍ତ ମାତ୍ର ୧୯% ଅଞ୍ଚଳରେ ସଂପୂର୍ଣ୍ଣ ଆଲୋକିକରଣ କରାଯାଇଛି । ବାକିତକ ଅଞ୍ଚଳରେ ଆଲୋକିକରଣ କରାଯାଇ ନାହିଁ ଏହା କେବେ କରାଯିବ । ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି ଏବଂ ପ୍ରତାରଣା କରିବାଛଡା କୌଣସି ଏକ ଯୋଜନାକୁ ନିଷ୍ଠାର ସହିତ କାର୍ଯ୍ୟକାରି କରିବାରେ ନଜିର ନାହିଁ । ସମସ୍ତ ଯୋଜନା କେବଳ ଭୋଟ ସର୍ବସ୍ବ ।