ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଆଦାୟ କରାଯାଉଥିବା ବର୍ଦ୍ଧିତ ସଂପତି କର ଆଇନ୍ସିଦ୍ଧ ନୁହେଁ ବୋଲି ଓଡିଶା ଉଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି । ଏହି ବର୍ଦ୍ଧିତ କର ଓଡିଶା ମ୍ୟୁନିସିପାଲ୍ କର୍ପୋରେସନ ଆକ୍ଟ ୨୦୦୩ ର ନିୟମ ବିରୁଦ୍ଧାଚରଣ କରିବା ସହିତ ଧାରା ୬୯୪ (୩) କୁ ଭୁବନେଶ୍ୱର ମହାନଗର ନିଗମ ଜୋର ଜବରଦସ୍ତି ଲାଗୁ କରିପାରିବେ ନାହିଁ ।
ସୋମବାର ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନ୍ଗୋ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ, କଂଗ୍ରେସ ଏହି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ ଜଣାଇଥିଲା ।
ତେଣୁ ଭୁବନେଶ୍ୱର ମହାନଗର ନିଗମ ଯେଉଁ ବର୍ଦ୍ଧିତ ସମ୍ପତ୍ତି କର ଜନସାଧାରଣଙ୍କ ଠାରୁ ଆଦାୟ କରିଛନ୍ତି ତାହା ଜନସାଧାରଣଙ୍କୁ ଶୀଘ୍ର ଫେରସ୍ତ କରାଯାଉ । ଭୁବନେଶ୍ୱର ମହାନଗର ନିଗମର କମିଶନର ଏବଂ ଡେପୁଟି କମିଶନର ବିଭିନ୍ନ ଗଣମାଧ୍ୟମରେ ସୂଚନା ଦେଇଥିଲେ ଯେ ଲୋକମାନେ ସ୍ୱତଃପ୍ରବୃତ ଭାବେ ଅନଲାଇନ୍ ମାଧ୍ୟମରେ ୨୨ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଛି । ତେଣୁ ଏହାକୁ ଶୀଘ୍ର ଫେରସ୍ତ କରାଯାଉ ।