ଭୁବନେଶ୍ବର: ବିଏମ୍ସିର ତିନି ମେୟର ପ୍ରାର୍ଥିନୀଙ୍କ ମଧ୍ୟରୁ ସବୁଠୁ ଧନୀ ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ । ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧ କୋଟି ୮୨ ଲକ୍ଷ ୬୦ ହଜାର ୩୩୮ । ଦିନକ ପରେ ନିର୍ବାଚନ ଥିବାବେଳେ ବିଜେଡିର ଏହି କୋଟିପତି ମେୟର ପ୍ରାର୍ଥିନୀଙ୍କ ସମ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ । ତାଙ୍କ ନିକଟକୁ ଏତେ ଟଙ୍କା କେଉଁଠୁ ଆସିଲା ? ଏହି ଅର୍ଥ ଚିଟଫଣ୍ଡରୁ ଆସିନି ତ ? ଏନେଇ କଂଗ୍ରେସ ସନ୍ଦେହ କରିବା ସଙ୍ଗେ ସଙ୍ଗେ ସିସୋର ଚିଟଫଣ୍ଡ ଠକେଇ ଘଟଣାରେ ସୁଲୋଚନାଙ୍କ ସମ୍ପର୍କ କ'ଣ ତାହା ସେ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି ।
ଆଜି(ମଙ୍ଗଳବାର) ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଶାସକ ଦଳକୁ ଏପରି ଭାବେ ଟାର୍ଗେଟ କରିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର । ଖବର କାଗଜରେ ଘରେ ଘରେ ଶଙ୍ଖ ପାଇଁ ବିଜ୍ଞାପନ ଦିଆଯାଉଛି । ହେଲେ ଘରେ ଶଙ୍ଖ ବାଜିବା ପୂର୍ବରୁ ବିଜେଡି ମେୟର ପ୍ରାର୍ଥିନୀଙ୍କ ସିସୋର ଚିଟଫଣ୍ଡ ସହ କ'ଣ ଲିଙ୍କ ଅଛି ଏବଂ ଏତେ ଧନୀ ସେ କେମିତି ହେଲେ ତାହା ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ କହିଛି ।