ଭୁବନେଶ୍ବର :ସ୍ଵଛ ଶାସନର ଆବରଣ ତଳେ ରାଜ୍ୟର ବିଜେଡି ସରକାର ଦୁର୍ନିତୀ ଓ ପ୍ରିୟାପ୍ରୀତିରେ ଲିପ୍ତ ଅଛନ୍ତି । ତାର ଆଉ ଏକ ନମୁନା ଦେଖିବାକୁ ମିଳିଛି । ଗତ ଏପ୍ରିଲ ୪ ତାରିଖରେ ପଞ୍ଚାୟତ ବିଭାଗ ଅଧିନସ୍ଥ ଗ୍ରାମୀଣ ଜଳ ଯୋଗାଣ ବିଭାଗର ଷ୍ଟିଟ୍ ଲାଇଟ୍ ଲଗାଇବା ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡର । ଏହି ଟେଣ୍ଡର ପ୍ରକ୍ରିୟା ଓ ଟେଣ୍ଡର ଦସ୍ତାବିଜ୍ରୁ ଏଥିରେ ଦୁର୍ନିତୀ ଓ ପିୟାପ୍ରୀତିର ସ୍ୱଷ୍ଟ ସୂଚନା ମିଳୁଛି । ଏନେଇ ଆଜି କଂଗ୍ରେସ ପକ୍ଷରୁ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଅଭିଯୋଗ ଆଣିଛନ୍ତି ।
ସୁଦର୍ଶନ କହିଛନ୍ତି ଯେ, ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଥିବା ଆରଡବ୍ଲୁଏସ୍ଏସ୍ ପକ୍ଷରୁ ରାଜ୍ୟର ୨୯ଟି ଜିଲ୍ଲାରେ ଏଲଇଡି ଲାଇଟ ଲଗାଇବା ନେଇ ଟେଣ୍ଡର ହୋଇଛି । ୧୫୦ କୋଟି ଟଙ୍କା ଖର୍ଚ୍ଚରେ ୨୯ଟି ଜିଲ୍ଲାର ଗାଁ ଗୁଡିକରେ ଏଲଇଡି ଷ୍ଟ୍ରିଟ୍ ଲାଇଟ ଲଗାଇବା ନେଇ ହୋଇଥିବା ଏହି ଟେଣ୍ଡରରେ କେତେକ ନିର୍ଦ୍ଦିଷ୍ଟ କମ୍ପାନିକୁ ସୁହାଇଲା ଭଳି ବ୍ୟବସ୍ଥା କରାଯାଇଛି । ୨୯ଟି ଜିଲ୍ଲାକୁ କିଛି ନିର୍ଦ୍ଦିଷ୍ଟ ସଂସ୍ଥା / ବ୍ୟକ୍ତିବିଶେଷ ମଧ୍ୟରେ ବାଣ୍ଟି ଦେବାକୁ ଏଭଳି ମସୁଧା କରାଯାଇଛି । ଏଥି ସହିତ ଯେଉଁ କାମ କମ୍ ଖର୍ଚ୍ଚରେ ହୋଇ ପାରିଥାନ୍ତା ତା ପାଇଁ ଅଧିକ ଖର୍ଚ୍ଚ କରିବା ପାଇଁ ଏହି ଟେଣ୍ଡର ପ୍ରକ୍ରିୟାରେ ସର୍ତ୍ତ ଧାର୍ଯ୍ୟ କରାଯାଇଛି । ନୂଆ ଟେକନୋଲୋଜିର ଉପଯୋଗ ଉପରେ ଗୁରୁତ୍ୱ ଦିଆ ନ ଯାଇ ୯/୧୦ ବର୍ଷ ତଳେ ମିଳୁଥବା ନିମ୍ନମାନର ଓ ଅଧିକ ବିଦ୍ୟୁତ ଖର୍ଚ୍ଚ ହେଉଥିବା ଏଲଇଡି ଲାଇଟ ଯୋଗାଣ ନେଇ ଏହି ଟେଣ୍ଡର ପ୍ରସ୍ତୁତ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଟେଣ୍ଡର ବିଜ୍ଞପ୍ତିରେ ୭୧୦୦ ଲୁମେନ ପାଇଁ ସର୍ବାଧିକ ୮୦ ୱାଟ୍ ଏଲଇଡି ଲାଇଟ ଧାର୍ଯ୍ୟ କରାଯାଇଛି । ଏହାର ଅର୍ଥ ପ୍ରତି ୱାଟ୍ ପିଛା ୯୦ ଲୁମେନ ବ୍ୟବହାର କରାଯାଇ ପାରିବ । ଏଭଳି କମ୍ ଲୁମେନ୍ ପ୍ରଦାନ କରୁଥିବା ଉତ୍ପାଦ ୯ରୁ ୧୦ ବର୍ଷ ତଳେ ବ୍ୟବହାର କରାଯାଉଥିଲା । ଏବେ ଦେଶର ସମସ୍ତ ପ୍ରମୁଖ କମ୍ପାନି ଯେଉଁ ଏଲଇଡି ଲାଇଟ ଉତ୍ପାଦନ କରୁଛନ୍ତି । ସେଥିରେ ପ୍ରତି ୱାଟ୍ ପିଛା ଲୁମେନ୍ ହାର ୧୧୦ରୁ ୧୨୦ ରହୁଛି । ଏଭଳି ଉଚ୍ଚ ହାରର ଲୁମେନ ଥିବା ଏଲିଇଡି ଲାଇଟର ଗୁଣବତ୍ତା ମଧ୍ୟ ଉଚ୍ଚ ଓ ଆଲୋକିକରଣ କ୍ଷମତା ମଧ୍ୟ ଯଥେଷ୍ଟ ଅଧିକ । ଏପରି ନୂଆ ଟେକନୋଲୋଜିର ଏଲଇଡି ଷ୍ଟ୍ରିଟ୍ ଲାଇଟ ବ୍ୟବହାର ଦ୍ୱାରା ପ୍ରତି ଲାଇଟ ପିଛା ଘଣ୍ଟାକୁ ପ୍ରାୟ ୨୦ ୱାଟ ବିଦ୍ୟୁତ କମ୍ ଖର୍ଚ୍ଚ ହେବ । ମାତ୍ର ଏଥିପ୍ରତି ନଜର ଅନ୍ଦାଜ କରିବା ପଛର ମନ୍ଦ ଏଦ୍ଦେଶ୍ୟ ଅଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।
ଟେଣ୍ଡର ପ୍ରକ୍ରିୟାରେ ଏହି ଚଚଂକତା ଯୋଗୁଁ ରାଜ୍ୟ ରାଜକୋଷରୁ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ ଟଙ୍କା ବାଟ ମାରଣା କରିବାର ମସୁଧା କରାଯାଇଛି । ଏହା ସହିତ ପ୍ରତି ବର୍ଷ ୫ କୋଟିରୁ ଉର୍ଦ୍ଧ୍ୱ ବିଦ୍ୟୁତ ଶୁକ୍ଲ ସରକାର ବହନ କରିବେ ବୋଲି ସୁଦର୍ଶନ ଅଭିଯୋଗ କରିଛନ୍ତି । ଟେଣ୍ଡର କାଗଜରେ ପ୍ରତି ୟୁନିଟ କ୍ଲଷ୍ଟର ପାଇଁ ୧ ଲକ୍ଷ ୩୪ ହଜାର ୮ଶହ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ବଜାର ମୂଲ୍ୟ ଅନୁଯାୟୀ ଏହା ୧ ଲକ୍ଷ ଟଙ୍କାରୁ ମଧ୍ୟ କମ୍ ହେବ । ଅର୍ଥାତ ପ୍ରତି ୟୁନିଟ୍ ବା କ୍ଲଷ୍ଟର ପିଛା ୩୦ ରୁ ୪୦ ଶତାଂଶ ଅଧିକ ମୂଲ୍ୟ ଟେଣ୍ଡରରେ ଉଲ୍ଲେଖ ଅଛି । ଏ ବାବଦରେ ରାଜ୍ୟ ସରକାର କ୍ଷତି ସହିଲା ବେଳେ, ନେତା, ମନ୍ତ୍ରୀ ଓ ଅଫିସର ମାନଙ୍କର ପକେଟ୍କୁ ଗରମ କରିବାର ଏହା ଏକ ସୁଚିନ୍ତିତ ଯୋଜନା ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।