ଭୁବନେଶ୍ବର: ତେଜିବାରେ ଲାଗିଛି କଂଗ୍ରେସ କଳି । ପିସିସି ସଭାପତି ପରିବର୍ତ୍ତନକୁ ନେଇ ମୁହାମୁହିଁ ହୋଇଛନ୍ତି ଦଳର ଦୁଇ ବରିଷ୍ଠ ବିଧାୟକ ସୁର ଓ ତାରା । ସେପଟେ ମେଳିରେ ସାମିଲ ହୋଇଥିବା ନେତା ପିସିସି ସଭାପତିଙ୍କୁ ବିରୋଧ କରୁନାହାଁନ୍ତି ବୋଲି ନିଜ ସଫେଇରେ କହିଛନ୍ତି ସୁର । ଯାହାକୁ ନେଇ ସରଗରମ ହୋଇଛି କଂଗ୍ରେସ ରାଜନୀତି ।
କିଏ ହେବ ସଭାପତି । ତାହାକୁ ନେଇ ଦିଲ୍ଲୀରୁ ଭୁବନେଶ୍ବର ଯାଏଁ କଂଗ୍ରେସରେ କମ୍ପନ । ମୁହାମୁହିଁ ହୋଇଛନ୍ତି ଦଳୀୟ ନେତା । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସରକାରୀ ବାସଭବନରେ ଦୁଇଜଣ କଂଗ୍ରେସ ବିଧାୟକ ଓ ନେତାଙ୍କ ମେଳିକୁ ନେଇ ବର୍ଷିଛନ୍ତି ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଯେ ବର୍ତ୍ତମାନ କଂଗ୍ରେସ ଦଳକୁ ହତ୍ୟା କରାଯାଉଛି । ତାରାଙ୍କୁ ଇଙ୍ଗିତ କରି ସୁର କହିଛନ୍ତି ଯେ ନୂଆଁଖାଇ ନାଁରେ ଏକାଠି ହୋଇ ପିସିସି ସଭାପତି ହେବାକୁ ଚାହୁଁଛନ୍ତି । ଏଭଳି ବିଶୃଙ୍ଖଳା ସମ୍ପର୍କରେ ଏଆଇସିସିର ଦୃଷ୍ଟି ଆକର୍ଷଣ କରିବେ ବୋଲି ସୁର କହିଛନ୍ତି ।