ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ ମ୍ୟାଚ ଦେଖିବାକୁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ମିଳିନଥିଲା ଅନୁମତି । ସରକାରଙ୍କ ତରଫରୁ ମିଳିଥିବା ପାସ ଦେଖାଇବା ସତ୍ତ୍ବେ ତାଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ଅନୁମତି ମିଳି ନଥିଲା । ଏନେଇ ସୁର କ୍ଷୋଭ ପ୍ରକାଶ କରିଥିବା ବେଳେ ଶାସକ ବିଜେଡି ଓ ବିଜେପିର ଅନେକ ନେତା ତାଙ୍କୁ ବୁଝାଇବା ପାଇଁ ତାଙ୍କ ଦ୍ବାରସ୍ତ ହୋଇଛନ୍ତି ।
କଳିଙ୍ଗ ଷ୍ଟାଡିୟମରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ ଆରମ୍ଭ ହୋଇଛି । ତେବେ ମ୍ୟାଚ ଦେଖିବାକୁ ଯାଇଥିବା ବେଳେ ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳି ନଥିଲା । ଭୁବନେଶ୍ବର ଆଥଲେଟିକ ଆସୋସିଏସନର ସଭାପତି ଭାବରେ ସୁର ରାଉତରାୟଙ୍କୁ ପାସ ମିଳିଥିଲା । ରାଜ୍ୟ ସରକାର ଓ କ୍ରୀଡା ସଚିବଙ୍କ ଦ୍ବାରା ତାଙ୍କୁ ପାସ ମିଳିଥିବା କହିଛନ୍ତି ସୁର । ମାତ୍ର ପାସକୁ ଅବୈଧ ଦର୍ଶାଇବା ସହ ତାଙ୍କୁ ଗେଟ ବାହାରକୁ ପଠାଇ ଦିଆଯାଇଥିଲା । ବାହାରକୁ ଆସି ସୁର ରାଉତରାୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ ।