ଓଡିଶା

odisha

ETV Bharat / city

ଧାନମଣ୍ଡି ସମସ୍ୟାକୁ ନେଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲା କଂଗ୍ରେସ

ରାଜ୍ୟ ସରକାର ଚାଷୀଙ୍କର ସବୁ ବଳକା ଧାନ କିଣିବେ ବୋଲି ଡିଣ୍ଡିମ ପିଟୁଥିବା ବେଳେ ପଶ୍ଚିମ, ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହଜାର ହଜାର ବସ୍ତା ଧାନ ମଣ୍ଡିରେ ଓ ଖଳାରେ ପଡ଼ି ରହିଛି । ତୁରନ୍ତ ପ୍ରତିକାର ପାଇଁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

By

Published : Jan 28, 2021, 2:57 PM IST

Congress met Governor regarding rice procurement issue on Thursday
ଧାନମଣ୍ଡି ସମସ୍ୟା, ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟ ସରକାର ଚାଷୀଙ୍କର ସବୁ ବଳକା ଧାନ କିଣିବେ ବୋଲି ଡିଣ୍ଡିମ ପିଟୁଥିବା ବେଳେ ପଶ୍ଚିମ, ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହଜାର ହଜାର ବସ୍ତା ଧାନ ମଣ୍ଡିରେ ଓ ଖଳାରେ ପଡ଼ି ରହିଛି । ଏଣୁ ଏହାର ତୁରନ୍ତ ପ୍ରତିକାର ପାଇଁ ଆଳି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏକ 11 ଜଣିଆ ପ୍ରତିନିଧି ମଣ୍ଡଳୀ ରାଜଭବନରେ ରାଜ୍ୟପାଳଙ୍କୁ ଗୁରୁବାର ସାକ୍ଷାତ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଧାନମଣ୍ଡି ସମସ୍ୟା, ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲା କଂଗ୍ରେସ

ଓଡ଼ିଶାର ମୁଖ୍ୟ ଫସଲ ଧାନ । ଧାନ ଚାଷ ଉପରେ ପ୍ରାୟ 90 ପ୍ରତିଶତ ଚାଷୀ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏଠାରେ ଏକ କ୍ଲିଣ୍ଟାଲ ଧାନ ଉତ୍ପାଦନରେ ପ୍ରାୟ 2400 ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ସାଧାରଣ ଧାନ କ୍ରିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ 1868ଟଙ୍କା ଧାର୍ଯ୍ୟ କରାଯାଇଛି । ଫଳରେ ଚାଷୀ ପ୍ରତି କ୍ଲିଣ୍ଟାଲ ପିଛା ବର୍ତ୍ତମାନ ଧାନରେ 532 ଟଙ୍କା କ୍ଷତି ସହୁଛନ୍ତି । ସ୍ବାମୀନାଥନ କମିଟି ସୁପାରିଶ ଆଧାରରେ କୃଷି ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ବୃଦ୍ଧି କରାଯିବା ପାଇଁ ବହୁ ପୂର୍ବରୁ ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ତଦନୁଯାୟୀ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ସର୍ବସମ୍ମତିକ୍ରମେ ଧାନ କ୍ବିଣ୍ଟାଲ ପିଛା 2930 ଟଙ୍କାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଚାଷୀମାନଙ୍କୁ ଟୋକନ ଦିଆଯାଇଥିବା ବେଳେ ଆବଶ୍ୟକ ମୁତାବକ ଟାର୍ଗେଟ ଦିଆଯାଉନାହିଁ । ଦୁଃର୍ଭାଗ୍ୟର ବିଷୟ ଏପର୍ଯ୍ୟନ୍ତ ଏହାର ସହାୟକ ମୂଲ୍ୟ ବୃଦ୍ଧି କରାଗଲା ନାହିଁ । ପଡ଼ୋଶୀ ଛତିଶଗଡ଼ ସରକାର ଧାନ କ୍ରିଣ୍ଟାଲ ପିଛା ଚାଷୀଙ୍କୁ 500 ଟଙ୍କା ବୋନସ୍ ଓ କେରଳ ସରକାର ପ୍ରତି କ୍ବିଣ୍ଟାଲ ପିଛା ଚାଷୀଙ୍କୁ 900 ଟଙ୍କା ବୋନସ୍ ଦେଉଥିବା ବେଳେ ଆମ ରାଜ୍ୟ ସରକାର ଚାଷୀଙ୍କୁ ଏମଏସପି ଉପରେ କୌଣସି ସହାୟତା ଦେଉ ନାହାନ୍ତି ।

ଅପରପକ୍ଷରେ ରାଜ୍ୟରେ ଜଳ ସେଚିତ ଅଞ୍ଚଳରୁ ପ୍ରତି ଏକର ପିଛା 30ରୁ 35 କ୍ବିଣ୍ଟାଲ ଧାନ ଓ ଅଣଜଳସେଚିତ ଅଞ୍ଚଳରୁ ପ୍ରତି ଏକର ପିଛା 18ରୁ 22 କ୍ବିଣ୍ଟାଲ ପର୍ଯ୍ୟନ୍ତ ଧାନ ଉତ୍ପାଦନ ହେଉଛି । କିନ୍ତୁ ରାଜ୍ୟ ସରକାର ଜଳସେଚିତ ଅଞ୍ଚଳରୁ ପ୍ରତି ଏକର ପିଛା 19 କ୍ବିଣ୍ଟାଲ, ଅଣଜଳସେଚିତ ଅଞ୍ଚଳରୁ 13 କ୍ବିଣ୍ଟାଲ ଧାନ କିଣିବା ଦ୍ବାରା ଚାଷୀ ତାଙ୍କର ବଳକା ଧାନ ବିକିବାରେ ବହୁ କ୍ଷତି ସହୁଛନ୍ତି । ରାଜ୍ୟ ସରକାର 20-21 ଖରିଫ ଓ 2020- 21 ରବି ଧାନ ମୋଟ୍ 82 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ପାଖାପାଖି 42 ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଥିବା ବେଳେ ଆଉ ଅବଶିଷ୍ଟ ଧାନ କ୍ରୟ କରାଯାଇ ନାହିଁ । ସେପଟେ ଏହି ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କଠାରୁ ପ୍ରାୟ 21 ଲକ୍ଷ ମେଟ୍ରିକ ଟନ୍ ଚାଉଳ କ୍ରୟ କରିବେ ନାହିଁ ବୋଲି ସରକାରଙ୍କୁ ଅବଗତ କରିଛନ୍ତି ।

ନିର୍ଦ୍ଧାରିତ ସମୟରେ ମଣ୍ଡି ନ ଖୋଲିବା ଏବଂ ଚାଷୀର ବଳକା ଧାନ କିଣା ନ ଯିବା କାରଣରୁ ଚାଷୀ ବର୍ତ୍ତମାନ ତାଙ୍କର ଧାନକୁ ବାଧ୍ୟ ହୋଇ କ୍ବିଣ୍ଟାଲ ପ୍ରତି 12 ଶହ 13 ଶହ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଅଭାବୀ ବିକ୍ରି ରୋକିବାରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରିବା ଚାଷୀଙ୍କ ମୁଣ୍ଡ ବ୍ୟଥାର ମୁଖ୍ୟ କାରଣ ହୋଇଛି । ପ୍ରକୃତରେ ସରକାର ଧାନ କିଣୁଛନ୍ତି ନା ନାହିଁ ବୋଲି ଅଧ୍ୟକ୍ଷ ପଟ୍ଟନାୟକ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଗତ ୧ ମାସ ମଧ୍ୟରେ ଓଡ଼ିଶା ପ୍ରଦେଶ କିଷାନ ସଂଗ୍ରେସ ତରଫରୁ ଅଧ୍ୟକ୍ଷ ପଟ୍ଟନାୟକଙ୍କ ନେତୃତ୍ବରେ କିଷାନ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ବାଲେଶ୍ବର, କୋରାପୁଟ ପ୍ରଭୃତି ଜିଲ୍ଲାଗୁଡ଼ିକର ଧାନ ମଣ୍ଡି ପରିଦର୍ଶନ ସମୟରେ ଧାନର ଅଭାବୀ ବିକ୍ରି, କଟନୀ ଛଟନୀ, ଟୋକନ ସମସ୍ୟା, ନିର୍ଦ୍ଧାରିତ ସମୟରେ ମଣ୍ଡି ନ ଖୋଲାଯିବା ଏବଂ ଚାଷୀଙ୍କ ଖାତାକୁ ତତ୍‌କ୍ଷଣାତ ଧାନର ଟଙ୍କା ଦିଆ ନ ଯାଇଥିବା ଯୋଗୁଁ ଉପସ୍ଥିତ ଚାଷୀମାନେ ଅଭିଯୋଗ କରିଥିଲେ ବୋଲି କିଷାନ କଂଗ୍ରେସ ଅଭିଯୋଗ କରିଛି । ଏହାର ସମାଧାନ ପାଇଁ ବଙ୍କର ସମସ୍ତ ବଳକା ଧାନ ସରକାର ଯୁଦ୍ଧକାଳୀନ ଭିତ୍ତିରେ କିଣିବା ଓ ଧାନ କ୍ବିଣ୍ଟାଲ ପିଛା ଏମଏସପି ଉପରେ ରାଜ୍ୟ ସରକାର 500 ଟଙ୍କା ବୋନସ୍ ଦେବା ପାଇଁ କିଷାନ ସଂଗ୍ରେସ ପକ୍ଷରୁ ଦାବି କରିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details