ଭୁବନେଶ୍ବର: ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜ୍ୟ ମାନବାଧିକାର ଆୟୋଗ ନିକଟରେ ଅଭିଯୋଗ କରାଯାଇଛି । ଶନିବାର ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଏକ ସ୍ମାରକ ପତ୍ର ରାଜ୍ୟ ମାନବାଧିକାର ଆୟୋଗଙ୍କୁ ପ୍ରଦାନ କରାଯାଇଛି ।
ସୂଚନା ଅନୁଯାୟୀ, ଏହି ଘଟଣାର ସାକ୍ଷୀମାନଙ୍କୁ ଓ ତାଙ୍କ ଏକ ମାତ୍ର 7 ବର୍ଷର ଝିଅକୁ କିଭଳି ସୁରକ୍ଷା ପ୍ରଦାନ କରାଯିବ ସେନେଇ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଝିଅର ଲାଳନ ପାଳନ ପାଇଁ 5 ହଜାର ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେବା ସହ ଘଟଣାର ସମସ୍ତ କେସ ଡାଏରୀ ଅକ୍ଟୋବର 30 ସୁଦ୍ଧା କମିଶନଙ୍କ ପାଖରେ ଉପସ୍ଥାପନ କରିବାକୁ କୁହାଯାଇଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ଯାଜପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାର ପର୍ଦ୍ଦାଫାସ କରିବାକୁ ଯାଇ ଏହାକୁ ଆତ୍ମହତ୍ୟାର ରୂପ ଦେଇଛନ୍ତି । ଏହାକୁ କଂଗ୍ରେସ ବିରୋଧ କରିବା ସହ କେଉଁ ପରିସ୍ଥିତିରେ ମହିଳା ଜଣଙ୍କ ଆତ୍ମହତ୍ୟା କଲେ ବୋଲି ପ୍ରଶ୍ନ କରିଛନ୍ତି । ଅନୁସନ୍ଧାନରେ ସମସ୍ତ ଦିଗକୁ ବାଟବଣା କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅତି ଚତୁରତା ସହ କାହା ଚାପରେ ସ୍ବର୍ଗତଃ ମହିଳାଙ୍କ ଚରିତ୍ର ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ତାହା ଅତି ନିନ୍ଦନୀୟ ବୋଲି କଂଗ୍ରେସ କହିଛି ।
ଗେଷ୍ଟ ହାଉସରେ ଲାଗିଥିବା ସିସିଟିଭି କ୍ୟାମେରା ଠିକ ସେହି ଦିନ କିଭଳି ଭାଙ୍ଗିଗଲା ଏବଂ ସିସିଟିଭିର ହାର୍ଡ଼ ଡିସ୍କକୁ ଜବତ କରି ସାଇଣ୍ଟିଫିକ ଟିମ ମାଧ୍ୟମରେ ଯାଞ୍ଚ କଲେ କେଉଁମାନେ ସାମିଲ ଅଛନ୍ତି ଜଣାପଡିବ ବୋଲି କଂଗ୍ରେସ କହିଛି । ଏହାଛଡା ସମ୍ପୃକ୍ତ ମହିଳାଙ୍କ ପରିବାରଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ କଂଗ୍ରେସ ଦଳ ଆଗାମୀ ଦିନରେ ସାରା ରାଜ୍ୟରେ ଜନ ଆନ୍ଦୋଳନ ଜାରି ରଖିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ