ଭୁବନେଶ୍ବର: ଚଳିତ ବନ୍ୟାରେ ହୋଇଥିବା ଫସଲ କ୍ଷୟକ୍ଷତି ପୁନଃ ଆକଳନ ଦାବି କଲା କଂଗ୍ରେସ । ଏହା ସହିତ କୃଷି ସହାୟତା ରାଶି ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ପ୍ରଦେଶ କଂଗ୍ରେସର ୬ ଜଣିଆ ପ୍ରତିନିଧି ଦଳ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ପିସିସି କିଷାନ ମୋର୍ଚ୍ଚା ସଭାପତି ଅମୀୟ ପଟ୍ଟନାୟକ ।
ରାଜ୍ୟରେ କିଛି ଦିନ ତଳେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା । ବନ୍ୟା ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ଲୋକଙ୍କର ଘର ଭାଙ୍ଗି ପଡ଼ିଥିଲା । ଫଳରେ ଲୋକମାନେ ବାସହରା ହୋଇପଡ଼ିଥିଲେ । କୃଷକ ମାନଙ୍କର ଚାଷ ମଧ୍ୟ ଉଜୁଡ଼ି ଯାଇଥିଲା । ଏକର ଏକର ଜମିରେ ବାଲି ଚରିଯାଇଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ଚାଷ ଜମି ଅନେକ ଦିନ ପର୍ଯ୍ୟନ୍ତ ଜଳମଗ୍ନ ହୋଇ ରହିଥିଲା । ଏହାର ପ୍ରଭାବରେ ଲୋକମାନଙ୍କର ଚାଷ ନଷ୍ଟ ହୋଇଯିବା କାରଣରୁ କୃଷିକାର୍ଯ୍ୟ ପାଇଁ ବ୍ୟାଙ୍କରୁ ଆଣିଥିବା ଲୋନ କିପରି ସୁଝିବେ ତାହାକୁ ନେଇ ଚିନ୍ତାରେ ଥିଲେ କୃଷକ । ତେବେ ରାଜ୍ୟ ସରକାର ବନ୍ୟା ପରିସ୍ଥିତି ସୁଧୁରିଲେ କ୍ଷୟକ୍ଷତିର ଆକଳନ କରି ପ୍ରଭାବିତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରିଥିଲେ ।
ବନ୍ୟା କ୍ଷୟକ୍ଷତି ପୁନଃ ଆକଳନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ତେବେ ଏହି କ୍ଷୟକ୍ଷତି ଆକଳନ କାର୍ଯ୍ୟକୁ ରାଜ୍ୟ ସରକାର ସଠିକ ଭାବରେ ପରିଚାଳନା କରିପାରିନଥିବା ଅଭିଯୋଗ କରିଛି କଂଗ୍ରେସ । ଏନେଇ କ୍ଷୋଭ ପ୍ରକାଶ କରିବା ସହିତ ୧୭ ଦଫା ଦାବିରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି ଦଳ । ସରକାରୀ ଆକଳନ ଅନୁସାରେ ଦିଆଯାଇଥିବା ତଥ୍ୟରେ ୧ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତ ଫସଲହାନି ହୋଇଛି । ତେବେ ଏହା ସଠିକ କ୍ଷୟକ୍ଷତି ଆକଳନର ଫଳାଫଳ ନୁହେଁ ବୋଲି କହିଛି କଂଗ୍ରେସ । ସଠିକ ଆକଳନ କଲେ ଆହୁରି ଅଧିକ କ୍ଷୟକ୍ଷତି କଥା ସାମ୍ନାକୁ ଆସିବ ବୋଲି ଦଳ ଅଭିଯୋଗ କରି ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛି । ଅନେକ ସ୍ଥାନକୁ ଅଧିକାରୀମାନେ ଆକଳନ ପାଇଁ ଯାଇନଥିବା ଅଭିଯୋଗ ହୋଇଛି ।
ତେବେ ଏହି ବନ୍ୟାଜନିତ କ୍ଷୟକ୍ଷତି ଓ କୃଷି ସହାୟତା ରାଶି ପ୍ରଦାନ କରାଯିବା ଦାବିକୁ ନେଇ ପ୍ରଦେଶ କଂଗ୍ରେସର ୬ ଜଣିଆ ପ୍ରତିନିଧି ଦଳ ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟିଛନ୍ତି । ଏନେଇ ପ୍ରତିକ୍ରିୟାରେ ରାଜ୍ୟ ପିସିସି କିଷାନ ମୋର୍ଚ୍ଚା ସଭାପତି ଅମୀୟ ପଟ୍ଟନାୟକ କହିଛନ୍ତି, "କୃଷି ଇନପୁଟ ସହାୟତା ରାଶି ଦୁଇଗୁଣ ବୃଦ୍ଧି କରାଯିବା ଉଚ୍ଚିତ । ଏହା ସହିତ ଆବଶ୍ୟକ ସ୍ଥଳେ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ତଳି, ବିହନ ଓ ସାର ଯୋଗାଇଦେବା ଆବଶ୍ୟକତା ରହିଛି । କୀଟନାଶକରେ ରିହାତି, କୃଷି ଋଣ ଛାଡ଼ ଓ ବିନା ସୁଧରେ କୃଷି ଋଣ ପ୍ରଦାନ ଆଦି ଆମର ଦାବି ରହିଛି । ଏହି ଦାବିଗୁଡିକୁ ପୁରଣ ନହେଲେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଗାମୀ ଦିନରେ ପିସିସି କିଷାନ ମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ।"
ଇଟିଭି ଭାରତ, ଭୁବନେଶ୍ବର