ଭୁବନେଶ୍ବର: କମ୍ପିଲା କମ୍ପନ ସମାବେଶ। ଓଡିଶା ଛାତ୍ର କଂଗ୍ରେସ ପକ୍ଷରୁ ସୋମବାର(ଆଜି) ଆୟୋଜନ କରାଯାଇଛି କମ୍ପନ ସମାବେଶ । ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜନ କରାଯାଇଥିବା କମ୍ପନ ସମାବେଶରେ ଯୋଗଦେଇଛନ୍ତି ଜାତୀୟ ଛାତ୍ର କଂଗ୍ରେସ ସଭାପତି ନିରଜ କୁନ୍ଦନ । ସଭାପତି ୟାସୀର ନବାଜଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିବା କମ୍ପନ ସମାବେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବେକାରୀ ସମସ୍ୟା, ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ଭଳି ବିଭିନ୍ନ ପ୍ରସଙ୍ଗରେ ଛାତ୍ର କଂଗ୍ରେସ ପକ୍ଷରୁ ଉଭୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି କଂଗ୍ରେସ ନେତା ।
'ନୌକରୀ ଦୋ ୟା ଡିଗ୍ରୀ ଲୋ' ନାରା ଦେଇ ବିରୋଧ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ନେତା । ପ୍ରତିବର୍ଷ 2 କୋଟି ଯୁବକଙ୍କୁ ନିଯୁକ୍ତି ଦେବାକୁ 2014 ନିର୍ବାଚନ ପୂର୍ବରୁ ବିଜେପି ପ୍ରତିଶ୍ରୁତି ଦେଇଥିଲା । ହେଲେ ନିର୍ବାଚନ ଜିତିବା ପରେ ମୋଦି ସରକାର 2 କୋଟି ନିଯୁକ୍ତି କଥା ଭୁଲି ଯାଇଛନ୍ତି । ଫଳରେ କୋଟି କୋଟି ଯୁବକ ବେକାର ହୋଇଛନ୍ତି । ବଡ଼ ବଡ଼ କଲେଜରୁ ଡିଗ୍ରୀ ହାସଲ କରିଥିଲେ ବି ସରକାର ଯୁବକଙ୍କୁ ନିଯୁକ୍ତି ଦେଉନାହାନ୍ତି । ସେହିପରି ରାଜ୍ୟରେ ବିଜେଡି ସରକାର ପ୍ରତିବର୍ଷ 2 ଲକ୍ଷ ନିଯୁକ୍ତି ଦେବାକୁ ଘୋଷଣା କରିଥିଲେ । ବେକାରୀ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କମ୍ପନ ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ବରିଷ୍ଠ ନେତା ଶିବାନନ୍ଦ ରାୟ, ଛାତ୍ର କଂଗ୍ରେସ ଓଡିଶା ପ୍ରଭାରୀ ରୋଶନଲାଲ ବିଟ୍ଟୁ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ, ଅଭିଳାଷ ମାଣିଆ, ସଂଗ୍ରାମ ଜେନା, ନିହାର ରଞ୍ଜନ ବେହେରା, ରାଜୀବ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।