ଭୁବନେଶ୍ବର: ଦିନକୁ ଦିନ ତେଜିବାରେ ଲାଗିଛି ନ୍ୟାସନାଲ ହେରାଲଡ଼ କେସ୍ ବିବାଦ । ଏହାକୁ ନେଇ ବିଜେପି ଅନେକ ଅସନ୍ତାେଷ ପ୍ରକାଶ କରିବା ସହ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଗାନ୍ଧୀ ପରିବାର ଉପରେ ବର୍ଷିଛି । "ଗାନ୍ଧୀ ପରିବାର ଭ୍ରଷ୍ଟାଚାରରେ ଲିପ୍ତ । ଏହି ପରିବାର ନାଁରେ ନ୍ୟାସନାଲ ହେରାଲଡ଼ କେସ ଚାଲିଛି । ଏବେ ବେଲ୍ରେ ବାହାରେ ଅଛନ୍ତି ଗାନ୍ଧୀ ପରିବାର । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀକୁ ଇଡ଼ି ସମନ କରିଛି ।
କଂଗ୍ରେସ ନାଟକବାଜି ନକରି ଆଇନକୁ ସମ୍ମାନ ଦେଉ: ସମ୍ବିତ ପାତ୍ର ସୋନିଆ ଗାନ୍ଧୀ ଅସୁସ୍ଥତା କାରଣରୁ ଇଡ଼ିରେ ହାଜର ହେଲେନି । ଆସନ୍ତାକାଲି ରାହୁଲ ଗାନ୍ଧୀଙ୍କର ଇଡ଼ିରେ ହାଜର ହେବାର ଅଛି । କିନ୍ତୁ ତାହା ପୂର୍ବରୁ ଦଳର ସମସ୍ତ ସାଂସଦଙ୍କୁ ଦିଲ୍ଲୀ ଡାକରା ହୋଇଛି । ସେଠି ସତ୍ୟାଗ୍ରହ କରିବା ପାଇଁ ଦଳ ଯୋଜନା କରୁଛି । ଏଥିରୁ ସ୍ପଷ୍ଟ ଗାନ୍ଧୀ ପରିବାର କିଛି ଲୁଚେଇବାକୁ ଚାହୁଁଛି ।" ଏପରି ଡ୍ରାମା କରୁଛି ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟ୍ ମାଧ୍ୟମରେ କହିଛନ୍ତି ।
ସୂଚନାନୁସାରେ ୫ ଶହ କୋଟି ଟଙ୍କାର ନ୍ୟାସନାଲ ହେରାଲଡ଼ରେ ଦୁର୍ନୀତି ହୋଇଛି । ଏ.ଜେ.ଏଲ କମ୍ପାନୀ ମାଧ୍ୟମରେ ତିନିଟି ପେପର ପ୍ରିଣ୍ଟ ହେଉଥିଲା । ଏହି ଏ.ଜେ.ଏଲର ୫ହଜାର କୋଟି ଟଙ୍କାର ସମ୍ପତ୍ତି ରହିଛି । କଂଗ୍ରେସ ଦଳ ଏ.ଜେ.ଏଲକୁ ୯୦ କୋଟି ଲୋନ ପାର୍ଟି ଫଣ୍ଡରୁ ଦେଇଥିଲେ । ଯାହା ସମ୍ପୂର୍ଣ୍ଣ ବେନିୟମ । ଏ.ଜେ.ଏଲ ଚେୟାରମ୍ୟାନ ହେଉଛନ୍ତି ମୋତିଲାଲ ବୋହରା । ଯିଏକି ସେହି ସମୟରେ କଂଗ୍ରେସର କୋଷାଧ୍ୟକ୍ଷ ବି ରହିଥିଲେ । ତେଣୁ ସେହି ନିଜେ ହିଁ ନିଜକୁ ଲୋନ୍ ଦେଇଥିଲେ । ତାହା ପରେ ୟଙ୍ଗ ଇଣ୍ଡିଆ କମ୍ପାନୀ ଗଠନ ହେଲା । ଆଉ ତାହାର ଚେୟାରମ୍ୟାନ ବି ରହିଲେ ମୋତିଲାଲ୍ ବୋହରା ।
ଏ.ଜେ.ଏଲର ସେୟାରକୁ ସେୟାର ହୋଲଡ଼ରଙ୍କ ବିନା ପରାମର୍ଶରେ ୟଙ୍ଗ ଇଣ୍ଡିଆ କମ୍ପାନୀକୁ ବିକ୍ରି କରି ଦିଆଯାଇଛି । ୟଙ୍ଗ ଇଣ୍ଡିଆ କମ୍ପାନୀକୁ ୫ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିଲା ମାତ୍ର ୫ହଜାର କୋଟି ଟଙ୍କାର ସମ୍ପତି ଗଚ୍ଛିତ ହୋଇଛି । ପରେ ୯୦ କୋଟି ଟଙ୍କା ଛାଡ଼ କରିବା ପାଇଁ ସୋନିଆ ଗାନ୍ଧୀ କହିବା ପରେ ତାକୁ ମୋତିଲାଲ୍ ବୋହରା ମାନିନେଲେ । ତେଣୁ କଂଗ୍ରେସ ଏଭଳି ନାଟକବାଜି ବନ୍ଦ କରି ଆଇନକୁ ସମ୍ମାନ ଦେଉ ବୋଲି ସମ୍ବିତ ପାତ୍ର ରୋକଠୋକ୍ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର