ଭୁବନେଶ୍ବର: କମୁନି କଂଗ୍ରେସ ଦଳ କନ୍ଦଳ । ଦିନକୁ ଦିନ ଉଗ୍ରରୂପ ନେଉଛି କଂଗ୍ରେସ କଳି (internal fighting in congress party ) । ରାଜ୍ୟରେ ତେଜୁଛି କଂଗ୍ରେସର ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ । ତାରାପ୍ରସାଦ ବାହିନୀପତି ଓ ମହମ୍ମଦ ମୋକିମ ଦଳୀୟ ରାଜନୀତିକୁ ନେଇ ମୁଁହାମୁହିଁ ହୋଇଛନ୍ତି । ସେପଟେ କଂଗ୍ରେସ ଭବନରେ ଚାଲିଛି ସମୀକ୍ଷା ଉପରେ ସମୀକ୍ଷା । ୨୦୨୪ ନିର୍ବାଚନ ବୈତରଣୀ ପାର ହେବାକୁ ତିଆରି ହୋଇଛି ନୂଆ ଆକ୍ସନ ପ୍ଲାନ ।
ରାହୁଲ ଗାନ୍ଧୀ ଭାରତଯୋଡ କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗଠନକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି । ଏପଟେ ଗତକାଲି ବିଧାନସଭା ପରିସରରେ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ମହମ୍ମଦ ମୋକିମଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଫଳରେ କଂଗ୍ରେସର ଭିତିରି କଥା ପଦାରେ ପଡିଛି ।
ରାଷ୍ଟ୍ରପତି ନିର୍ବାଚନରେ କଟକ ବାରବାଟୀ ବିଧାୟକ ଦଳର ନିଷ୍ପତ୍ତି ବାହାରକୁ ଯାଇ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ । ସେଥିପାଇଁ କଂଗ୍ରେସ ଦଳ ପକ୍ଷରୁ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିଲା । ଏହାକୁ ନେଇ ଏବେ କଂଗ୍ରେସ ରାଜନୀତି ସରଗରମ । ବାରବାଟି ବିଧାୟକ କହିଛନ୍ତି, "ଯେ ପର୍ଯ୍ୟନ୍ତ ଦଳ ପକ୍ଷରୁ କାରଣ ଦର୍ଶାଅ ଉତ୍ତର ନେଇ କୌଣସି ଚିଠି ମିଳିନି ସେ ପର୍ଯ୍ୟନ୍ତ ମୁଁ କଂଗ୍ରେସ କାର୍ଯ୍ୟାଳୟକୁ ଯିବିନି କି କଂଗ୍ରେସର କୌଣସି ବି କାର୍ଯ୍ୟକ୍ରମରେ ସାମିଲ ହେବିନି । କେବଳ କଟକ ଭିତରେ ସୀମିତ ରହିବି ।"