ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ଏବେ ନେତୃତ୍ବ ପାଇଁ ଲବି ଜୋରଦାର । କିଏ ହେବ ସଭାପତି ? କିଏ ହେବ କଂଗ୍ରେସ ବିଧାୟକ ଦଳ ନେତା ? ଦଳରେ ଅନ୍ତ କନ୍ଦଳ ପରେ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ଦରବାରରେ କଂଗ୍ରେସ ନେତାଙ୍କ ହାଜିରା। ଯେତେବେଳେ ରାଜ୍ୟ କଂଗ୍ରେସ ନେତୃତ୍ବ ନେଇ ସସ୍ପପେନ୍ସ ହଟିବା ଅପେକ୍ଷାରେ ଦଳୀୟ ବିଧାୟକ, ସାସଂଦ ଓ ବରିଷ୍ଠ ନେତା, ସେତେବେଳେ ଚର୍ଚ୍ଚାକୁ ଆସିଛି ରାହୁଲ ଗାନ୍ଧୀଙ୍କ ଓଡିଶା ରଣନୀତି (Rahul Gandhi Blue Print for Odisha Congress) ।
କଂଗ୍ରେସର ଓଡିଶା ପାଇଁ ମିଶନ-2024 । ଦଳ ତୃତୀୟ ସ୍ଥାନରୁ ଆସି ଦ୍ବିତୀୟ ସ୍ଥାନରେ ବିରୋଧୀ ଦଳ ଭୂମିକାରେ ରହିବ ନା ସିଧା କ୍ଷମତା ଦଖଲ କରିବ। ଅତି ବିଶ୍ବସ୍ଥ ସୂତ୍ରରୁ ମିଳଥିବା ସୂଚନା ଅନୁଯାୟୀ କଂଗ୍ରେସର ଲକ୍ଷ୍ୟ 2024ରେ ରାଜ୍ୟରେ ସରକାର ଗଠନ କରିବ। । ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ସ୍ଥିତି ଦେଖିଲେ ଏହା ଅସମ୍ଭବ ମନେହୁଏ। କିନ୍ତୁ ରାହୁଲଙ୍କ ଟିମ କନଫିଡେଣ୍ଟ । ରାଜ୍ୟ ରାଜନୀତି ନେଇ ରାହୁଲ ରାଜ୍ୟର ସବୁ ବର୍ଗର ନେତାଙ୍କ ଠାରୁ ଇନପୁଟ୍ ନେଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି, ବିଧାୟକ, ସାଂସଦ ଓ ବରିଷ୍ଠ ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି। ଓଡିଶାର ରାଜନୀତିକୁ ବିଭିନ୍ନ କୋଣରୁ ବିଶ୍ଳେଷଣ କରାଯାଇଛି ରାହୁଲଙ୍କ ଦ୍ବାରା । ତାପରେ ଚର୍ଚ୍ଚାକୁ ଆସିଛି ରାହୁଲ ଗାନ୍ଧୀଙ୍କ ଓଡିଶା ରଣନୀତି ।
କଣ ରାହୁଲ ଗାନ୍ଧୀଙ୍କ ଓଡିଶା ରଣନୀତି ?
କଂଗ୍ରେସର ଅତି ବିଶ୍ବସ୍ଥ ସୂତ୍ର ଆନୁଯାୟୀ ଆଗାମୀ ଦିନରେ ଓଡିଶାରେ କ୍ଷମତାକୁ ଫେରିବା ପାଇଁ ଉଦ୍ୟମ କରିବ କଂଗ୍ରେସ। ତେବେ ଏହି ଉଦ୍ୟମର ଆଜିର ଦିନରେ ପ୍ରାସଙ୍ଗିକତା କେତେ ସେନେଇ ଆଲୋଚନା ହୋଇଛି । ସ୍ବାଧୀନତା ପରଠାରୁ 1951-61 ବିଭିନ୍ନ ସମୟରେ କଂଗ୍ରେସ ସମର୍ଥନରେ ରାଜ୍ୟରେ ସରକାର ଚାଲିଥିଲା । ତେବେ 1961-66 ମସିହା ସ୍ବର୍ଗତ ବିଜୁ ପଟ୍ଟନାୟକ ପିସିସି ସଭାପତି ଦାୟିତ୍ବ ନେବା ପରେ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମିଳିଥିଲା ସଂଖ୍ୟା ଗରିଷ୍ଠତା । ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଲେ । ଏହାପରେ 1971 ସ୍ବର୍ଗତ ନନ୍ଦିନୀ ଶତପଥୀ ଓଡିଶାର ମୁଖ୍ୟମନ୍ତ୍ରୀ ରହିଥିଲେ 3 ବର୍ଷ ପର୍ଯ୍ୟନ୍ତ । ଏହା ପରେ 2 ବର୍ଷ ପର୍ଯ୍ୟନ୍ତ ଦେଶରେ ଲାଗିଥିଲା ଜରୁରୀକାଳୀନ ପରିସ୍ଥିତି। 1980 ରୁ 1990 ରାଜ୍ୟ କଂଗ୍ରେସର ସୁବର୍ଣ୍ଣ ଯୁଗ ଆସିଥିଲା । ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବରେ 10 ବର୍ଷ କାଳ କ୍ଷମତାରେ ରହିଥିଲା କଂଗ୍ରେସ । 1990 ଜେବିଙ୍କ 10 ବର୍ଷ କ୍ଷମତାର ଜୟ ଯାତ୍ରା ଉପରେ ବ୍ରେକ ଲଗାଇଥିଲେ ବିଜୁ ପଟ୍ଟନାୟକ । ତେବେ 1995 ଭାରି ପଡିଲେ ଜେବି, ଲେଉଟାଇଥିଲେ ଜନତା ଦଳ ନିରଙ୍କୁଶ ଜନମତକୁ, କ୍ଷମତାକୁ ଫେରିଥିଲା କଂଗ୍ରେସ । ଏବେ ଏହି 1990 ଓ 1995ର ପୃଷ୍ଠା ଲେଉଟାଉଛି କଂଗ୍ରେସ। ପରଖୁଛି ରାଜ୍ୟ ରାଜନୀତିର ସେତବେଳର ପେଞ୍ଚ ।
90 ଓ 95 କେସ ଷ୍ଟଡି
1990 ଓ 1995 ବିଧାନସଭା ଫଳାଫଳ ଏବେ କେସ ଷ୍ଟଡି ବନିଛି ରାଜ୍ୟ କଂଗ୍ରେସ ପାଇଁ। 1990 ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳକୁ ମିଳିଥିଲା ବିପୁଳ ବିଜୟ । 147 ବିଧାନସଭା ଆସନରୁ 123 ଆସନ ଦଖଲ କରିଥିଲା ଜନତା ଦଳ। ସେତେବେଳେ କ୍ଷମତାସୀନ ଦଳ କଂଗ୍ରେସ ସୀମିତ ରହିଥିଲା ମାତ୍ର 10ଟି ଆସନରେ। 1995 ମସିହା। ଓଡିଶା ରାଜନୀତିରେ ପୁଣି ଓଲଟପାଲଟ ହେଲା। ପୁଣି ଚାଲିଲା ଜେବିଙ୍କ ମ୍ୟାଜିକ। 80ଟି ଆସନ ସହ କ୍ଷମତାକୁ ଫେରିଲା କଂଗ୍ରେସ । କ୍ଷମତାସୀନ ଜନତା ଦଳକୁ ମିଳିଥିଲା 46ଟି ଆସନ। ଏବେ 1995ର ଗଣିତ ପୁଣି କସିବ କଂଗ୍ରେସ। ଅଭିଜ୍ଞ, ଟାଣୁଆ ନେତାଙ୍କୁ ଧରି ଦଳକୁ ସଂଗଠିତ କରିବେ ହାଇକମାଣ୍ଡ। ଅଭିଜ୍ଞତା, ପାରଦର୍ଶିତା ଓ କ୍ଷମତା ଅନୁଯାୟୀ ପିସିସି ଟିମ ଗଠନ କରାଯିବ। ସବୁଠୁ ବଡ ଫ୍ୟାକ୍ଟର ଶୃଙ୍ଖଳିତ, ଦଳ ପ୍ରତି ଆନୁଗତ୍ୟ ରଖିଥିବା ନେତାଙ୍କୁ ସବୁଠୁ ବେଶୀ ଗୁରୁତ୍ବ ମିଳିବ। ଏହା ସହ ହାଇକମାଣ୍ଡଙ୍କ ଗୁଡ ବୁକରେ ଥିବା ନେତାଙ୍କୁ ମିଳିବ ନେତୃତ୍ବ।
କଂଗ୍ରେସ ଶକ୍ତିଶାଳୀ ହେବ କେମିତି ?
ତେବେ 2000 ମାର୍ଚ୍ଚ ନିର୍ବାଚନରେ କଂଗ୍ରେସର ପରାଜୟ ସହ ରାଜ୍ୟ ରାଜନୀତି ପ୍ରେକ୍ଷାପଟ୍ଟ ବଦଳି ଯାଇଛି। ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାଁରେ ବିଜୁ ଜନତା ଦଳର ଅଭ୍ୟୁଃଦୟ ସହ ନବୀନଙ୍କ ବିଜୟ ଯାତ୍ରା, ରାଜ୍ୟ ରାଜନୀତିରେ ବିରୋଧୀଙ୍କ ପ୍ରତ୍ୟାବର୍ତ୍ତନ, ରାଜନୈତିକ ଯୋଡତୋଡ ଓ ସମସ୍ତ ଗଣିତକୁ ଯେପରି ନିଷ୍ପ୍ରଭ କରିଛି । ଓଡିଶା ରାଜନୀତିରେ ଯେପରି ବିରୋଧୀ ବିପକ୍ଷରେ ରହିବାର ଅଭ୍ୟାସରେ ପଡିଯାଇଛନ୍ତି। ପୂର୍ବରୁ ବିଜୁ ମନ୍ତ୍ର ଓ ଏବେ ନବୀନ-ନବୀନ କରିସ୍ମାକୁ ପ୍ରତିରୋଧ କରିବାର କାଟ ଯେଭଳି ବିରୋଧୀଙ୍କ ପାଖରେ ନାହିଁ ତାହା ଶାସକ ବିଜେଡି ବାରମ୍ବାର ପ୍ରମାଣିତ କରିଛି। ବିରୋଧୀଙ୍କ ପାଖରେ କେବଳ ସମୟକୁ ଅପେକ୍ଷା କରିବା ଛଡା କିଛି ଉପାୟ ନଥିବା ଚର୍ଚ୍ଚା ହେଉଛି। ତେବେ ପରିବର୍ତ୍ତନର ନାଡି ଧରିବାର ଏବେ ସମୟର ଆସିଛି ବୋଲି ସଙ୍କେତ ଆସୁଛି କଂଗ୍ରେସ ଦିଲ୍ଲୀ ଦରବାରରୁ।
ତେବେ କଂଗ୍ରେସକୁ କେମିତି କରାଯିବ ସଂଗଠିତ ? ସେନେଇ ଦଳର ବରିଷ୍ଠ ନେତାମାନେ ରାହୁଲଙ୍କ ସହ ଆଲୋଚନା କରିଛନ୍ତି। ଦିନେ କଂଗ୍ରେସକୁ ସଶକ୍ତ କରିଥିବା ପୂର୍ବତନ ନେତାଙ୍କ ଦାୟଦ ପରବର୍ତ୍ତି ସମୟରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି, ଦଳରେ ଅନ୍ତଃକନ୍ଦଳ ଓ କ୍ଷମତାରେ ଦୀର୍ଘ ଦିନ ଦୂରରେ ରହିବା ପରେ ଦଳ ଛାଡିଛନ୍ତି ଦଳର ଟାଣୁଆ ନେତା । ଭୁପିନ୍ଦର ସିଂହ, ନବ ଦାସ, ପ୍ରଦୀପ ମାଝି, ଚନ୍ଦ୍ରଶେଖର ସାହୁଙ୍କ ଭଳି ନେତା କଂଗ୍ରେସରେ ହାତ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ତେଣୁ ଦଳକୁ ସଶକ୍ତ କରିବା ପାଇଁ ସମ୍ପ୍ରାତିକ ରାଜନୈତିକ ପରିସ୍ଥିତିକୁ ଦେଖି ବିଭିନ୍ନ କ୍ଷେତ୍ରରୁ ଅଭିଜ୍ଞ ବ୍ୟକ୍ତିତ୍ବକୁ ଦଳରେ ସାମିଲ କରିବ କଂଗ୍ରେସ। ଏମାନଙ୍କ ମଧ୍ୟରେ ରହିଛନ୍ତି ବିରୋଧୀ ଦଳରେ ଥିବା ରାଜନେତା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ସମାଜସେବୀ । ଓଡିଶା କଂଗ୍ରେସକୁ ସମର୍ଥନ ଦେବାକୁ ବିଭିନ୍ନ ରାଜ୍ୟର ଟାଣୁଆ କଂଗ୍ରେସ ନେତା ମଧ୍ୟ ଅଣ୍ଟା ଭିଡିଛନ୍ତି।
କାହିଁକି କଂଗ୍ରେସ ଆଶାବାଦୀ ?
କଂଗ୍ରେସ ରାଜନୀତି ବିଶେଷ୍ଳକଙ୍କ ଅନୁଯାୟୀ ଓଡିଶା କଂଗ୍ରେସ ପ୍ରତି ରାହୁଲଙ୍କ ଦୁର୍ବଳତା ରହିଛି। ସେ ଚାହୁଁଛନ୍ତି ରାଜ୍ୟ କଂଗ୍ରେସ ନିଜକୁ ସଂଗଠିତ କରୁ, ମଜବୁତ ହେଉ। ତେବେ ରାହୁଲଙ୍କ ପାଇଁ ମଧ୍ୟ ନେତୃତ୍ବ ବାଛିବା ଏବେ ବଡ ସମସ୍ୟା ହୋଇଛି। ନିରଞ୍ଜନ ପଟ୍ଟନାୟକଙ୍କ ପରି ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଇ ଦଳକୁ ଟ୍ରାକକୁ ଆଣିବାକୁ ରାହୁଲ ଚେଷ୍ଟା କରିଥିଲେ। ନିରଞ୍ଜନ ଦଳକୁ ସଂଗଠିତ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ। ତେବେ 2019 ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ପରାଜୟ। ବିପକ୍ଷର ମର୍ଯ୍ୟାଦା ହରାଇବା ପରେ ଦଳରେ ନେତୃତ୍ବ ପରିବର୍ତ୍ତନ ନେଇ ବିରୋଧ ସ୍ବର ତୀବ୍ର ହୋଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ଆଡୁ ଇସ୍ତାଫା ଦେଲେ । ଏହି ଘଟଣା କ୍ରମକୁ ପାଖାପାଖି 3 ବର୍ଷ ହେବାକୁ ବସିଥିବା ବେଳେ ଏବେ ହାଇକମାଣ୍ଡଙ୍କ ନଜର ପଡିଛି ଓଡିଶା ସଂଗଠନ ଉପରେ । ତେବେ ପରିବର୍ତ୍ତନ ପାଇଁ ରାହୁଲ ଗାନ୍ଧୀ ପ୍ରୟାସ ଆରମ୍ଭ କରିଥିବା କହିଛନ୍ତି ରାଜନୈତିକ ବିଶ୍ଳେଷକ। କଂଗ୍ରେସ ରାଜନୀତିର ସ୍ଥିରତା ଦଳର କେନ୍ଦ୍ରୀୟ ରାଜନୀତି ଉପରେ ନିର୍ଭର କରିଥାଏ। କୃଷକ ଆନ୍ଦୋଳନ, ଦର ଦାମ ପରିସ୍ଥିତି ଏବଂ ବର୍ତ୍ତମାନ କେନ୍ଦ୍ର ରାଜ୍ୟ ମଧ୍ୟରେ ମୁହାଁ ମୁହିଁ ହୋଉଥିବା ପରିସ୍ଥିତି ଏବେ ବିରୋଧୀଙ୍କ ପାଇଁ ରାଜନୈତିକ କ୍ଷେତ୍ର ପ୍ରସ୍ତୁତ କରିଛି। ତେଣୁ 2024 ନିର୍ବାଚନ କେନ୍ଦ୍ର ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ପାଇଁ ଏତେ ସହଜ ରହିବ ନାହିଁ ବୋଲି ରାଜନୈତିକ ବିଶ୍ଲେଷକ ମତ ଦେଇଛନ୍ତି। ଯାହାର ପ୍ରଭାବ ରାଜ୍ୟ ରାଜନୀତିରେ ପଡିବ। ଏହା ସହ ନୂଆ ରଣନୀତି ସହ ରାଜ୍ୟରେ ପଞ୍ଚମ ପାଳିରେ ଥିବା ବିଜେଡି ସରକାର ବିରୋଧରେ ଜନମତ ତିଆରି କରିବ ବୋଲି ରାହୁଲଙ୍କୁ ଭେଟିଥିବା ବରିଷ୍ଠ କଂଗ୍ରେସ ନେତା ମତ ରଖିଛନ୍ତି।
ରାଜ୍ୟ କଂଗ୍ରେସ ପାଇଁ ବଡ ଚ୍ୟାଲେଞ୍ଜ
2000 ମସିହାରେ ବିଜୁ ଜନତା ଦଳ କ୍ଷମତାକୁ ଆସିବା ଓ 2014 ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ ପରେ ନିରନ୍ତର ଭାବେ ଓଡିଶାରେ କଂଗ୍ରେସର ଭୋଟ ହାର କମିଚାଲିଛି। ଯଦି 2000ରୁ 2014 ମସିହା ପର୍ଯ୍ୟନ୍ତ କଂଗ୍ରେସର ଭୋଟ ପ୍ରତିଶତ ଦେଖାଯାଏ, 2000 ମସିହାରେ କଂଗ୍ରେସର ରାଜ୍ୟରେ 35 ପ୍ରତିଶତ ଭୋଟ ରହିଥିଲା। ୟୁପିଏ ସରକାର ପତ୍ତନ 2014 ବେଳକୁ କଂଗ୍ରେସର ଓଡିଶାରେ ଭୋଟ ପ୍ରତିଶତ 25 ପ୍ରତିଶକୁ ଖସି ଆସିଥିଲା। ପରବର୍ତ୍ତୀ ସମୟରେ 2019 ବିଧାନସଭା ନିର୍ବାଚନରେ କଂଗ୍ରେସ ଭୋଟ ପ୍ରତିଶତ 16 ପ୍ରତିଶତ ଖସିଗଲା। 2000 ମସିହାରୁ 2019 ମହିହା, 19 ବର୍ଷରେ କଂଗ୍ରେସ ରାଜ୍ୟରେ ହରାଇଛି 19 ପ୍ରତିଶତ ଭୋଟ। ଯାହା ଆଜିର ଦିନରେ ଯାଇଛି ବିଜେଡି ଓ ବିଜେପି ଖାତାକୁ। ବିଜେପି ବିରେଧୀ ଦଳ ମାନ୍ୟତା ପାଇଛି। କଂଗ୍ରେସ ତୃତୀୟ ସ୍ଥାନରେ ରହିଛି। ତେବେ କ୍ଷମତାରୁ ଦୀର୍ଘ ଦିନ ଦୂରରେ ରହିଥିଲେ ମଧ୍ୟ କଂଗ୍ରେସର ରାଜ୍ୟର ବିଭିନ୍ନ ବର୍ଗରେ ଏବେବି ଦବଦବା ରହିଛି, ପକେଟ ଭୋଟ ମଧ୍ୟ ରହିଛି । ତେବେ ଚାଲେଞ୍ଜ ହେଉଛି, ସଂଗଠନକୁ ପୁର୍ନଜିବିତ କରିବା ଓ ଭୋଟରଙ୍କୁ କଂଗ୍ରେସ ଆଡକୁ ମୁହାଁଇବା, ଯାହା କଷ୍ଟ ହୋଇପାରେ । ହେଲେ କଂଗ୍ରେସ ପାଇଁ ଅସମ୍ଭବ ନୁହେଁ ବୋଲି ଦଳର ବରିଷ୍ଠ ନେତା ମତ ରଖିଛନ୍ତି।
ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ