ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ପୁଣି ବିଡେଜି-ବିଜେପିକୁ ଟାର୍ଗେଟ କଲା ପ୍ରଦେଶ କଂଗ୍ରେସ । ଛତିଶଗଡର ବିଜେପି ସରକାର ଓ ଓଡିଶା ବିଜେଡି ସରକାର ବହୁ ରାଜନୀତି କଲେ । ଜନସାଧାରନଙ୍କ ସ୍ବାର୍ଥପାଇଁ ସେମାନଙ୍କର ଆନ୍ତରିକତା ନଥିଲା ବୋଲି ପ୍ରେସବାର୍ତ୍ତାରେ କ୍ଷୋଭ ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ମହାନଦୀ ଜଳ ବିବାଦ: ବିଡେଜି-ବିଜେପିକୁ ଟାର୍ଗେଟ କଲା କଂଗ୍ରେସ ବିଜେଡି ଓ ବିଜେପି କେବଳ ଭୋଟ ବ୍ୟାଙ୍କ ରାଜନୀତିରେ ବିଶ୍ବାସ କରନ୍ତି । ଏବେ କିନ୍ତୁ ସତ୍ୟ ସାମ୍ନାକୁ ଆସିଛି । ଏବେ କିନ୍ତୁ ମହାନଦୀକୁ ସଠିକ୍ ଭାବେ ପାଣି ଆସିଛି ବୋଲି କହିଛନ୍ତି ନିରଞ୍ଜନ । ଓଡ଼ିଶାର ଦାବି ଥିଲା ଅଣ ମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରକୁ ସର୍ବନିମ୍ନ ୧.୨ ମିଲିଅନ ଏକର ଫିଟ ପାଣି ଛତିଶଗଡ ସରକାର ଛାଡ଼ନ୍ତୁ । କିନ୍ତୁ ଛତିଶଗଡ଼ ବିଜେପି ସରକାର ରୋକଠୋକ ମନା କରି ଦେଇଥିଲେ । କିନ୍ତୁ ଏବର୍ଷ ମାର୍ଚ୍ଚ ମାସରୁ ମେ ମାସ ପର୍ଯ୍ୟନ୍ତ ୬୨୪ ରୁ ୬୧୭ ଫୁଟ୍ ପର୍ଯ୍ୟନ୍ତ ଜଳ ଜଳଭଣ୍ଡାରରେ ଥିଲା । ଯାହାକି ଅନ୍ୟାନ୍ୟ ବର୍ଷ ତୁଳନାରେ ୧୦ ରୁ ୧୫ ଫୁଟ ଅଧିକ । ଏବର୍ଷ ଛତିଶଗଡ କଂଗ୍ରେସ ସରକାର ୧.୬ ଏକର ଫିଟ ପାଣି ଛାଡିଛନ୍ତି । ତେବେ ପାଣି ଆସିଲା କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ ।
ହୀରାକୁଦ ବନ୍ଧ ଏକ କେନ୍ଦ୍ରୀୟ ଯୋଜନା । ଡିପିଆରରେ ସ୍ପଷ୍ଟ ଭାବେ ଉଲ୍ଲକ୍ଷିତ ଅଛି । ଓଡ଼ିଶାର ଅଂଶ ୧୨.୨୮ ମିଲିଅନ ଏକର ଫିଟ୍ ଏବଂ ଛତିଶଗଡ଼ ଭାଗ ୮.୩୩ ମିଲିଅନ ଏକର ଫିଟ୍ । ଛତିଶଗଡ଼ ବିଜେପି ସରକାର ଅଣମୌସୁମୀ ସମୟରେ ପାଣି ଛାଡିବାକୁ ମନା କରିଦେଲେ ଯାହାକୁ ନେଇ ବିବାଦ ସୃଷ୍ଟି ହେଲା ବୋଲି ନିରଞ୍ଜନ କହିଛନ୍ତି ।
ଓଡ଼ିଶାକୁ ୨ ଲକ୍ଷ ମିଲିଅନ ଏକର ଫିଟ ପାଣି ଦେଲେ ଅଣମୌସୁମୀ ସମୟରେ ଓଡ଼ିଶାର ଆବଶ୍ୟକତା ପୂରଣ ହୋଇ ପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ପିସିସି ସଭାପତି । ଏହି କଥାକୁ ଦୁଇ ରାଜ୍ୟ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିପାରି ଥାନ୍ତେ । କିନ୍ତୁ ତାହା ନକରି ସୁପ୍ରିମକୋର୍ଟ ଓ ଟ୍ରିବୁନାଲ ଯିବାକୁ ପଡିଲା । ସବୁ କଥାରେ ବିଜେଡ଼ି ସରକାର ବିଜେପିକୁ ସମର୍ଥନ କରୁଛି । ଓଡ଼ିଆ ଲୋକଙ୍କ ସ୍ବାର୍ଥ ପାଇଁ କାହିଁକି ଏତିକି କରିପାରିଲେ ନାହିଁ ବା କରି ପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ଏହାର ସନ୍ତୋଷଜନକ ଉତ୍ତର ଓଡ଼ିଶାବାସୀଙ୍କୁ କିଏ ଦେବ ବିଜେପି ନା ବିଜେଡି, ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ