ଭୁବନେଶ୍ବର: କଳାହାଣ୍ଡିସନ୍ସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ (Mamita Meher Murder case)କୁ ନେଇ ଦାବି ଓ ଆନ୍ଦୋଳନ କମିବାର ନାଁ ଧରୁନି । ପ୍ରତିଦିନ କୌଣସି ନା କୌଣସି ସଂଗଠନ ବା ରାଜନୈତିକ ଦଳ ମମିତାଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନ କରୁଛନ୍ତି । ଆଜି(ସୋମବାର) କଂଗ୍ରେସ ଏହି ହତ୍ୟାକାଣ୍ଡକୁ ନେଇ ଏକ ନୂଆ ଦାବି କରିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପାଲିଗ୍ରାଫ(polygraph test of Divyashankar Mishra) ଟେଷ୍ଟ ପାଇଁ ଦାବି କରିଛି କଂଗ୍ରେସ । ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତଦନ୍ତକୁ ଦିଗହରା କରାଉଥିବା ଅଭିଯୋଗ କରିଛି କଂଗ୍ରେସ ।
ଏହାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସୋମବାର କଂଗ୍ରେସ ଭବନରେ ଆୟୋଜିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀ । କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ମମିତା ମେହେର ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ କରିବା ପାଇଁ ଦାବି କରିଛନ୍ତି । ଖାଲି ସେ ନୁହଁନ୍ତି ଦିବ୍ୟଶଙ୍କର ମିଶ୍ରଙ୍କୁ ୧୫ ଦିନ ଧରି ଆତ୍ମଗୋପନ କରି ରହିବାରେ ସାହାଯ୍ୟ କରିଥିବା ବିଧାୟିକଙ୍କ ମଧ୍ୟ ପାଲିଗ୍ରାଫ କରାଯାଉ ବୋଲି କହିଛନ୍ତି ମନୋଜ ମହାପାତ୍ର ।