ଓଡିଶା

odisha

ETV Bharat / city

Justice For Mamita: କଲେଜରେ ଅଛି ଅଣ୍ଡରଗ୍ରାଉଣ୍ଡ ରୁମ, ଦରକାର ପଡ଼ିଲେ ପିନ୍ଧିବି କଳା କୋର୍ଟ

ମମିତା ମେହେର ହତ୍ୟା ପ୍ରସଙ୍ଗ ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି । ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଓ ନିରପେକ୍ଷ ତଦନ୍ତ ଦାବି କରି ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ ଜାରି ରଖିଛନ୍ତି ବିରୋଧୀ ।

Justice For Mamita: ଦରକାର ପଡ଼ିଲେ କଳା କୋର୍ଟ ପିନ୍ଧିବି କହିଲେ ନରସିଂହ
Justice For Mamita: ଦରକାର ପଡ଼ିଲେ କଳା କୋର୍ଟ ପିନ୍ଧିବି କହିଲେ ନରସିଂହ

By

Published : Dec 6, 2021, 5:14 PM IST

ଭୁବନେଶ୍ବର:ମମିତା ମେହେର ହତ୍ୟା ପ୍ରସଙ୍ଗ ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ବିଧାନସଭା ଆରମ୍ଭରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ନିରପେକ୍ଷ ତଦନ୍ତ ଦାବି ନେଇ ଅଡ଼ି ବସିଛନ୍ତି ବିରୋଧୀ । ସେପଟେ ମାମଲାରେ ପୁନର୍ବାର ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଛି କଂଗ୍ରେସ । ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଆଜି(ସୋମବାର) ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ସଠିକ ଢଙ୍ଗରେ ନକରି ମାମଲାର ମୋଡ଼ ବଦଳା ଯାଉଥିବା କଂଗ୍ରେସ ଅଭିଯୋଗ କରିଛି ।

Justice For Mamita: ଦରକାର ପଡ଼ିଲେ କଳା କୋର୍ଟ ପିନ୍ଧିବି କହିଲେ ନରସିଂହ

କେବଳ ମମିତା ହତ୍ୟାକାଣ୍ଡ ଘଟଣା ତଦନ୍ତ କରି ମାମଲାରେ ସମ୍ପୃକ୍ତ ଗୃହରାଷ୍ଟ୍ର ମନ୍ତ୍ରୀ ବଞ୍ଚାଇବାକୁ ଉଦ୍ୟମ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି । ଏହା ସହ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ୱାବଧାନରେ ତଦନ୍ତ ହେଉଥିବା ସରକାରଙ୍କ ଦାବି ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ବିଧାନସଭାର ୫ ଦିନରେ କୌଣସି କାର୍ଯ୍ୟ ହୋଇନି । ଗୃହ ଅଚଳ ହୋଇ ରହିଛି । ଜାଣିଶୁଣି ସରକାର ଆଲୋଚନା ପାଇଁ ତାଙ୍କର କୌଣସି କାର୍ଯ୍ୟକ୍ରମ ରଖିନାହାନ୍ତି । ସରକାରୀ ବିଜ୍‌ନେସ୍‌ କିଛି ନଥିବାବେଳେ ମୁଲତବୀ ଉପରେ ଆଲୋଚନା ହୋଇପାରିଥାନ୍ତା ।

ମମିତା ଘଟଣାରେ ଆଲୋଚନା ହେଉ ବୋଲି କଂଗ୍ରେସ ପ୍ରଥମେ କହିଥିଲା । ତାକୁ କରେଇ ଦିଆଗଲାନାହିଁ । ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ରଖିବୁ ବୋଲି ଶାସକ ଦଳ ବିଜେଡି ସବୁବେଳେ ବାହାସ୍ଫୋଟ ମାରନ୍ତି । କିନ୍ତୁ ମମିତା ପ୍ରସଙ୍ଗରେ ସରକାର ଏତେ ଡରୁଛନ୍ତି କାହିଁକି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ବିଧାନସଭା ନ ଆସି ନବୀନନିବାସରୁ ଭିଡିଓ ମେସେଜ ଦେଉଛନ୍ତି । ବିରୋଧୀ ଦଳ ଗୃହ ଚଲେଇ ଦେଉନାହାନ୍ତି ବୋଲି ଅଭିଯୋଗ କରି କହୁଛନ୍ତି । ଓଡିଶା ଯେଉଁଥି ପାଇଁ ଜଳୁଛି ତା ଉପରେ ଗୃହରେ ଆଲୋଚନା କରିବାକୁ କଂଗ୍ରେସ ସ୍ପଷ୍ଟ କରିଛି । କିନ୍ତୁ ତା ନକରି ବିରୋଧୀ ଦଳ ରାଜନୀତି ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି । ତାହାଲେ ୧୯୯୯ରେ ମୁଖ୍ୟମନ୍ତ୍ରୀ କଣ କରିଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଥିଲେ । 1999 ଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀ ନିଜେ କେନ୍ଦ୍ରମନ୍ତ୍ରୀ ଥିବାବେଳେ କଟକ ମହିଳା ଥାନା ଯାଇ FIR ଦେଇଥିଲେ । ସମାନ ଘଟଣାରେ ଆଜି କାହିଁକି ମୁଖ୍ୟମନ୍ତ୍ରୀ ବିରୋଧାଭାସ ବୋଲି କହୁଛନ୍ତି ।

ଗତକାଲି ମୁଖ୍ୟମନ୍ତ୍ରୀ ହକି ପାଇଁ କଳିଙ୍ଗ ଷ୍ଟାଡିଅମ ଯାଇଥିଲେ । ସେଠି କଣ କୋରୋନା ଭୟ ନାହିଁ ? କିନ୍ତୁ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ କୋରୋନା ଭୟ ଘାରୁଛି । ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସନ୍ତୁ । ବିଜେଡି କିପରି ଦୁର୍ନୀତିର ଗନ୍ତାଘର ହୋଇଛି ଏସବୁ ପ୍ରସଙ୍ଗରେ ବି ଆଲୋଚନା ହେଉ । ମମିତା ମେହେର ଘଟଣାର ଦୁଇ ମାସ ପରେ ଆଇନ ତା ବାଟରେ ଯିବ ବୋଲି ବି ମୁଖ୍ୟମନ୍ତ୍ରୀ କହି ନାହାନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ମମିତାଙ୍କ ବାପା ଗୃହ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ମିଡିଆ ଆଗରେ କହିଛନ୍ତି । ଯୌନ ବ୍ୟଭିଚାର ସମ୍ପର୍କରେ ବି ଅଭିଯୋଗ ଆସିଛି । ଟେଲିଫୋନ୍‌ ବାର୍ତ୍ତାଳାପ ବି ରହିଛି । ସରକାରଙ୍କୁ ଆଉ କେତେ ପ୍ରମାଣ ଦରକାର ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଅଛି । କଲେଜରେ ଅଣ୍ଡରଗ୍ରାଉଣ୍ଡ ରୁମ୍‌ ରହିଛି । ସରକାରୀ ଭାବେ କଲେଜକୁ ଆଶାତୀତ ଅନୁକମ୍ପା ଦିଆଯାଇଛି । ଯୌନ ନିର୍ଯାତନା ବିଷୟରେ ପୋଲିସ ଫୱାର୍ଡି୍ଂ ରିପୋର୍ଟ (forwarding report)ରେ ଲେଖିଛି । ପ୍ରମାଣ ନଷ୍ଟ ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାହାରକୁ ବାହାରିଲେ । ଘଟଣାରେ ଚରିତ୍ର ସଂହାର ବିରୋଧୀ ଦଳ ନୁହେଁ, ସରକାର ଓ ପୋଲିସ କରିଛି । ନୂଆ କରି ତଦନ୍ତ ନ ହେଲେ ଗୋବିନ୍ଦ ସାହୁ ଖସି ଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନରସିଂହ ମିଶ୍ର । ହାଇକୋର୍ଟ ମନିଟରିଂରେ SIT ତଦନ୍ତ ହେଉ ବୋଲି ଦାବି କରିଛନ୍ତି କଂଗ୍ରେସ । ଆବଶ୍ୟକ ପଡ଼ିଲେ ମୁଁ କଳା କୋର୍ଟ ପିନ୍ଧିବାକୁ ପଛ ଘୁଞ୍ଚା ଦେବିନାହିଁ କହିଛନ୍ତି ନରସିଂହ ମିଶ୍ର ।



ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details