ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସକୁ ନେଇ ବିଏମସି ଉପରେ ବର୍ଷିଛି କଂଗ୍ରେସ ।
ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁର ରାଉତରାୟ ବିଏମସିର ବର୍ଦ୍ଧିତ ଟ୍ୟାକ୍ସକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସୁର କହିଛନ୍ତି ବିଗତ 20 ବର୍ଷ ହେଲା ଟଙ୍କାଟିଏ ଟ୍ୟାକ୍ସ ବଢାଇ ନଥିଲା । ହେଲେ ଏବେ କଣ ଆବଶ୍ୟକତା ପଡିଲା ହଠାତ ଟ୍ୟାକ୍ସ ବଢାଇବାକୁ ବିଏମସି ନିଷ୍ପତ୍ତି ନେଲା । ଯଦି ରାଜସ୍ବ ବଢାଇବାର ଅଛି 5ରୁ 10ପ୍ରତିଶତ ବଢାଯାଉ । ଏଥିରୁ ଅଧିକ ବଢାଗଲେ କଂଗ୍ରେସ ଆନ୍ଦୋଳନ କରିବ । ବିଏମସିକୁ ଅଚଳ କରିଦେବ ବୋଲି ସୁର ମଧ୍ୟ ଧମକ ଦେଇଛନ୍ତି ।
ସେପଟେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ସାଧାରଣ ପ୍ରଶାସନ ବିଭାଗ ଭୁବନେଶ୍ବରରେ ଥିବା ଜମିର ବେଞ୍ଚମାର୍କ ମୂଲ୍ୟ ବଢାଇଥିବାରୁ ସେହି ଅନୁଯାୟୀ ହୋଲଡିଂ ଟ୍ୟାକ୍ସ ବଢିଛି । ସେ ସ୍ପଷ୍ଟ କରିଛନ୍ତି ଏବେବି ବିଏମସି ପକ୍ଷରୁ ୧୯୯୮ ମସିହାରେ ଭୁବନେଶ୍ବରର ବିଭିନ୍ନ ସ୍ଥାନ ପାଇଁ ଧାର୍ଯ୍ୟ କରାଯାଇଥିବା ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି । ରାଜସ୍ବ ବୃଦ୍ଧି ପାଇଁ ଦୀର୍ଘ ବର୍ଷ ପରେ ହୋଲଡିଂ ଟ୍ୟାକ୍ସର ବେଞ୍ଚମାର୍କ ବଢାଯାଇଥିବା କହିଛନ୍ତି କମିଶନର । ଏହାସହ କୌଣସି ନିର୍ମାଣ ଉପରେ ବର୍ଦ୍ଧିତ ଟ୍ୟାକ୍ସ ଲାଗୁହେବନି, କେବଳ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯିବ ।