ଓଡିଶା

odisha

ETV Bharat / city

ରାଜଧାନୀ ନଦୀପଠାରେ ରହସ୍ୟମୟ ଯୁବକ, କାହାଣୀ ଲେଖିବାକୁ ପୋଲିସର ପ୍ରୟାସ - unidentified youngman deadbody rescue

ରାଜଧାନୀର କୁଆଖାଇ ନଦୀପଠାରୁ ରହସ୍ୟମୟ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ଖିଅ ଖୋଜା ଚଳାଇଛି କମିଶନରେଟ ପୋଲିସ । ଘଟଣାକୁ ମାସେ ବିତି ଯାଇଥିଲେ ସୁଦ୍ଧା ତଦନ୍ତ ଆଗେଇ ପାରୁନାହିଁ । ଏଠି ବର୍ତ୍ତମାନ ପୋଲିସ ବାବୁଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଅଧିକ ପଢ଼ନ୍ତୁ...

କୁଆଖାଇ ନଦୀପଠାରେ ଯୁବକଙ୍କ ମୃତଦେ ଉଦ୍ଧାର ଘଟଣା,  କାହାଣି ଲେଖିବାକୁ ପୋଲିସର ପ୍ରୟାସ
କୁଆଖାଇ ନଦୀପଠାରେ ଯୁବକଙ୍କ ମୃତଦେ ଉଦ୍ଧାର ଘଟଣା, କାହାଣି ଲେଖିବାକୁ ପୋଲିସର ପ୍ରୟାସ

By

Published : Aug 24, 2021, 10:45 PM IST

Updated : Aug 25, 2021, 11:09 AM IST

ଭୁବନେଶ୍ବର:ରାଜଧାନୀର କୁଆଖାଇ ନଦୀପଠାରୁ ରହସ୍ୟମୟ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ଖିଅ ଖୋଜା ଚଳାଇଛି କମିଶନରେଟ ପୋଲିସ । ୫ଫୁଟ୍ ୮ଇଞ୍ଚର ହୃଷ୍ଟପୁଷ୍ଠ ଯୁବକ, ଓଜନ ୪୬ କିଲୋଗ୍ରାମ ହୋଇଥିବାବେଳେ ଦେହରେ କୌଣସି କ୍ଷତ ଚିହ୍ନ ନାହିଁ । ବୟସ ପ୍ରାୟ ୧୮ରୁ ୨୫ବର୍ଷ ହେବା ନେଇ ପୋଲିସ ଅନୁମାନ କରିଛି । ଏଭଳି ଏକ ରହସ୍ୟମୟ ଯୁବକଙ୍କ ଗଳିତ ମୃତଦେହର ମାସେ ହେଲା ପରିଚୟ ଖୋଜୁଛି କମିଶନରେଟ୍ ପୋଲିସ ।

କୁଆଖାଇ ନଦୀପଠାରେ ଯୁବକଙ୍କ ମୃତଦେ ଉଦ୍ଧାର ଘଟଣା, କାହାଣି ଲେଖିବାକୁ ପୋଲିସର ପ୍ରୟାସ

ମୃତଦେହର ମୁଣ୍ଡ ଅଛି ଅଥଚ ପରିଚୟ ଖୋଜିବାକୁ ସୁପରକପ ଅଫିସରଙ୍କ ମୁଣ୍ଡ ପାଉନି । ମୃତଦେହ ସହ ସାର୍ଟ, ପ୍ୟାଣ୍ଟ ଓ ଚପଲ ସହ ପିନ୍ଧିଥିବା କାନର କୁଣ୍ଡଳ ସହ ଅନେକ ସୁରାକ ଅଛି । ଅଥଚ ନା ଯୁବକଙ୍କ ପରିଚୟ ମିଳୁପାରୁଛି ନା ଠିକଣା । ଯୁବକଙ୍କ ପରିଚୟ ଓ ଠିକଣା ପାଇ ପାରୁନାହାଁନ୍ତି କମିଶନରେଟ ପୋଲିସ ସ୍ବତନ୍ତ୍ର ଅନଆଇଡେଣ୍ଟିଫାଏଡ ମ୍ୟାନ ମିସିଂ ସେଲ୍ । ଏହି ମାମଲାରେ ସମୟ ଗଡ଼ିବା ସହ ତଦନ୍ତ ମଧ୍ୟ ଦିଗହରା ହେବାରେ ଲାଗିଛି । ହେଲେ ବାକି ଥିବା ମାମଲା ଓ ସମାଧାନ ହୋଇନଥିବା ହତ୍ୟାକାଣ୍ଡ ମାମଲାକୁ ପୁନଃ ରିଓପନ କରି ଖୋଳତାଡ କରୁଥିବା ଅଧିକାରୀ ଏବେ ଦିଗହରା ହୋଇଛନ୍ତି । ପରିଚୟ ଖୋଜିବା ପାଇଁ ଏବେ କାହାଣୀର ଏକ ମୋଡ଼ ଦେବାକୁ ପ୍ରୟାସ ଚାଲିଛି । ଅର୍ଥାତ କେହି ମୃତଦେହକୁ ଆଣି ଫିଙ୍ଗିଦେଇଥିବା କିମ୍ବା ପରିବାର ଲୋକ ମୃତଦେହକୁ ଏଭଳି ଫିଙ୍ଗିବା ପରେ ପୋଲିସ ଭୟରେ ସାମ୍ନାକୁ ଆସୁନଥିବା ପୋଲିସ ସନ୍ଦେହ କରିଛି ।

କୌଣସି ସିକ୍ୟୁରିଟି ଏଜେନ୍ସି ବା ସୁରକ୍ଷା ବାହିନୀର ଯବାନ କି କର୍ମଚାରୀଙ୍କ ମୃତ୍ୟୁକୁ ଲୁଚାଇବାକୁ ଏଭଳି ପ୍ରୟାସ କରାଯାଉଥିବା ମଧ୍ୟ ସନ୍ଦେହ କରାଯାଉଛି । ଅଥବା ରାଜ୍ୟ ଵାହାରର କେହି ପ୍ରମାଣ ନଷ୍ଟ କରିବାକୁ ଏଭଳି ପ୍ରୟାସ କରାଯାଇନାହିଁ ତ ? ଏଭଳି ଅନେକ ସମ୍ଭାବନା ନେଇ ଥିଓରି ଓ କାହାଣୀ ତିଆରି କରି ଏଦିଗରେ ତଦନ୍ତ କରି ମାମଲାର ସମାଧାନ କରିବାକୁ ପ୍ରୟାସ କରୁଛି କମିଶନରେଟ ପୋଲିସ । ହେଲେ ଏହାରି ଭିତରେ ମାସେ ଵିତିଲାଣି । କଟାମୁଣ୍ଡ ଘଟଣାରେ ମୁଣ୍ଡ ଖୋଜି ମାଇଲେଜ ନେଇଥିବା ପୋଲିସ ଅଧିକାରୀଙ୍କୁ ପଦକ ବିବେଚିତ ହେଵା ପରେ ଉତ୍ସାହିତ ହୋଇ ପଡ଼ିଛନ୍ତି । ପୋଲିସ ଅଫିସର ଏଠି କିନ୍ତୁ ନିଜର ପାରିବା ପଣିଆ ଦେଖାଇବାରେ ଫେଲ ମାରିଛନ୍ତି । କାରଣ ଫରେନ୍ସିକ ଉପଦେଶ ସହ ତଦନ୍ତରେ ନୂଆ କୌଶଳର ବ୍ଯବହାର ପରେ ବି ନଦୀ ପଠାରୁ ଉଦ୍ଧାର ଯୁବକଙ୍କ ମୃତଦେହ ବିଷୟରେ ସୁରାକ ପାଉନି ପୋଲିସ ।

ଗତମାସ ଜୁଲାଇ ୨୧ ତାରିଖରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବରିମୁଣ୍ଡ ଜରିପାଟଣା କୁଆଖାଇ ନଦୀପଠାରୁ ଉଦ୍ଧାର ହୋଇଥିଲା ଯୁବକଙ୍କ ମୃତଦେହ । ଘଟଣାକୁ ଏକ ମାସ ପୁରିଥିଲେ ସୁ୍ଦ୍ଧା ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ରାଜଧାନୀର ସମେତ ଅନ୍ୟ ଜିଲ୍ଲାରେ ପୋଲିସ ପୋଷ୍ଟର ମାରି ଯୁବକଙ୍କ ପରିଚୟ ଖୋଜିବାକୁ ଚେଷ୍ଟା କରିଛି । ହେଲେ ପୋଲିସର ପୋଷ୍ଟରମରା ଫଣ୍ଡା ବି କାମ ଦେଉନାହିଁ । ତେବେ ଆଗକୁ କିଭଳି ତଦନ୍ତ ହେବ ସେନେଇ ପୋଲିସ କୌଣସି ଖିଅ ପାଉନାହିଁ । ଗୋଟିଏ ପରେ ଗୋଟିଏ ମୃତ୍ୟୁ, ଏମିତି ରହସ୍ୟ ହୋଇ ରହି ଯାଉଥିବାରୁ ପୋଲିସକୁ ଅଡୁଆରେ ପକାଉଛି ।

ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏମ୍ସ ହସ୍ପିଟାଲ ପଠାଯାଇଥିଲା । ତାଙ୍କର ନିଶ୍ୱାସପ୍ରଶ୍ୱାସ ଅଟକିଥିବାରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି । ଏନେଇ ମଞ୍ଚେଶ୍ୱର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି । ଯୁବକଙ୍କ ସମ୍ପର୍କରେ ଯିଏ ସୂଚନା ଦେବେ ତାଙ୍କ ନାଁ ଓ ଠିକଣା ଗୋପନ ରଖାଯିବ । ଏହାସହ ତାଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ପୋଲିସ ମାରଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଏଥିରେ ଯୁବକଙ୍କ ଉଚ୍ଚତା, ଆନୁମାନିକ ବୟସ, ଓଜନ ଏବଂ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ରହିଛି । ଏହାସହ କୌଣସି ବ୍ୟକ୍ତିବିଶେଷ ଯୁବକଙ୍କ ସମ୍ପର୍କରେ ସୂଚନା ପାଇଲେ, ମଞ୍ଚେଶ୍ୱର ଥାନାଧିକାରୀ, ଜୋନ୍‌-୫ ଏସିପି, ଡିସିପି ଅଫିସ୍‌ଙ୍କ ନମ୍ବରରେ ଜଣାଇପାରିବେ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Aug 25, 2021, 11:09 AM IST

ABOUT THE AUTHOR

...view details