ଭୁବନେଶ୍ବର: ଦଶହରାରେ ଭିଡ଼କୁ ଏଡାଇବା ପାଇଁ କମିସନରେଟ ପୋଲିସ ପକ୍ଷରୁ ବୁଲିବ ମୋବାଇଲ ବାଇକ । ଦୁଇ ବର୍ଷର କୋଭିଡ କଟକଣା ପରେ ଭୁବନେଶ୍ବର ଓ କଟକର ବିଭିନ୍ନ ପୂଜା ମଣ୍ଡପରେ କଟକଣା ମୁକ୍ତ ଦୂର୍ଗା ପୂଜା ଅନୁଷ୍ଠିତ ହେବାକୁ ଥିବାରୁ ଏଥର ପୂର୍ବ ବର୍ଷ ଗୁଡ଼ିକ ଅପେକ୍ଷା ଅଧିକ ଗହଳି ରହିବ । ବିଭିନ୍ନ ସ୍ଥାନରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କମିସନରେଟ ପୋଲିସ ପ୍ରସ୍ତୁତ ଥିବା କହିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
କୋଭିଡ ଯୋଗୁଁ ଗତ ଦୁଇ ବର୍ଷ ସମସ୍ତ ପୂଜା ପାର୍ବଣ ବନ୍ଦ ହୋଇ ରହିଥିଲା । ଚଳିତ ବର୍ଷ ମହାମାରୀର କୋପ କମି ଯାଇଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ପୂଜା ମଣ୍ଡପ ଓ ବଜାର ଘାଟ । ଆଉ ମାତ୍ର ଦିନ କେଇଟାର ଅପେକ୍ଷା ପରେ ଅନୁଷ୍ଠିତ ହେବ ମା' ଦୁର୍ଗାଙ୍କର ପୂଜା । ଏଥର କଟକ ଓ ଭୁବନେଶ୍ବରରେ ବେଶ୍ ଜାକଜମକରେ ପାଳନ ହେବ କଟକଣା ମୁକ୍ତ ଦୂର୍ଗା ପୂଜା । ତେଣୁ ବିଗତ ବର୍ଷ ମାନଙ୍କ ଅପେକ୍ଷା ଏବର୍ଷ ଲୋକଙ୍କର ଗହଳି ଅଧିକା ରହିବ । ତେବେ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପୂଜାରେ ମେଲୋଡ଼ି ପାଇଁ ରାତି ୧୨ଟା ଯାଏଁ ଅନୁମତି ଦିଆଯାଇଛି । ଚଳିତ ବର୍ଷ ଦୁର୍ଗା ପୂଜାକୁ ସୂଚାରୁ ରୂପେ ପାଳନ କରିବା ପାଇଁ ଚାଲିଛି ପ୍ରସ୍ତୁତି ।