ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା । ବଢ଼ିଲା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଅଡୁଆ । ମନ୍ତ୍ରୀଙ୍କ ସୋସିଆଲ ମିଡିଆ ବୁଝୁଥିବା ତଥାକଥିତ ଭାଣେଜି ବିନ୍ଦାସ ଚିନୁଙ୍କୁ ଜେରା କଲା ପୋଲିସ । ମୃତ ଧର୍ମେନ୍ଦ୍ରଙ୍କ ଭାଇରାଲ ହୋଇଥିବା ଅଡିଓରେ ସେ ସମୀର ଦାସଙ୍କ ସମେତ ବିନ୍ଦାସ ଚିନୁ ଓ ଅନ୍ୟ ୩ ଜଣଙ୍କ ନାଁ ମଧ୍ୟ ନେଇଥିଲେ । ତେବେ ବିନ୍ଦାସ ଚିନୁ ଓ ଅନ୍ୟ ୩ ଜଣଙ୍କୁ ଆଜି ଜେରା କରିଛି କମିଶନରେଟ୍ ପୋଲିସ ।
ଗତ ସେପ୍ଟେମ୍ବର ୨୪ ତାରିଖରେ ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିଥିଲେ । ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘେରକୁ ଆସିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହାପରେ ଧର୍ମେନ୍ଦ୍ର ସାହୁ ଓ ତାଙ୍କର ଜଣେ ସାମ୍ବାଦିକ ବନ୍ଧୁ ଅକ୍ଷୟ ନାୟକଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହେବାପରେ ତାଙ୍କ ମୃତ୍ୟୁରେ ସମୀର ଦାସଙ୍କ ସମ୍ପୃକ୍ତିର ସ୍ପଷ୍ଟ ସୂଚନା ମିଳିଥିଲା । ଏହାପରେ ଅକ୍ଷୟ ନାୟକଙ୍କୁ ପଚରାଉଚରା କରି ତାଙ୍କ ଫୋନ ସିଜ କରିଥିଲା ପୋଲିସ । ଭାଇରାଲ ହୋଇଥିବା ଅଡ଼ିଓରେ ସେ ମଲେ ଏଥିପାଇଁ ସମୀର ଦାସ ଦାୟୀ ରହିବେ ବୋଲି କହିଥିଲେ । ଏଥିରେ ମନ୍ତ୍ରୀଙ୍କ ସମେତ ଅନ୍ୟ 4 ଜଣଙ୍କ ନାଁ ମଧ୍ୟ ନେଇଥିଲେ ଧର୍ମେନ୍ଦ୍ର । ଏହି 4 ଜଣଙ୍କ ଭିତରେ ରହିଥିଲା ବିନ୍ଦାସ ଚିନୁ ନାଁ । ତେବେ ଘଟଣାର ଅନେକ ଦିନ ପରେ ଆଜି (ବୁଧବାର) ବିନ୍ଦାସ ଚିନୁ ସମେତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଜେରା କରିଛି କମିଶନରେଟ୍ ପୋଲିସ ।