ଭୁବନେଶ୍ବର: ପ୍ରେମ ଦିବସରେ କମିଶନରେଟ ପୋଲିସ ଏମିତି ଜଣେ ରସିକିଆକୁ ଗିରଫ କରିଛନ୍ତି ଯିଏ ୧୪ ରାଣୀଙ୍କ ରାଜା । ସେ ୭ ରାଜ୍ୟରେ ୧୪ ଜଣ ମହିଳାଙ୍କୁ ବିବାହ କରି ଠକିଛନ୍ତି ଯାହାଙ୍କ ବୟସ ୬୨ । ନିଜକୁ କେତେବେଳେ ଡେପୁଟି ଡାଇରେକ୍ଟର ଜେନେରାଲ୍, CHERI, ଭାରତ ସରକାରଙ୍କର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜଣେ କର୍ମଚାରୀ ଓ କେତେବେଳେ ନିଜକୁ ଡାକ୍ତର ପରିଚୟ ଦେଇ ଏହି କାର୍ଯ୍ୟ କରୁଥିଲେ। ଏକୁଟିଆ ଥିବା ସମ୍ଭ୍ରାନ୍ତ ମହିଳା, ବିଧବା ମହିଳା, ନଚେତ ବୟସ୍କା ଅଣବିବାହିତା ଯୁବତୀଙ୍କ ସହ ସମ୍ପର୍କ ବଢାଉଥିଲେ।
ମାଟ୍ରିମୋନିଆଲ ସାଇଟରେ ନିଜର ଷ୍ଟାଟସ ଅପଡେଟ କରାଇ ଏହିଭଳି ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲା। ପରେ ସେମାନଙ୍କ ଠାରୁ ଟଙ୍କା ଓ ଗହଣା ନେଇ ଫେରାର ହେଉଥିଲା। ଏପରିକି ବିବାହ କରିଥିବା ମହିଳାଙ୍କ ମଧ୍ୟରେ ରହିଛନ୍ତି ସମ୍ଭ୍ରାନ୍ତ ଶ୍ରେଣୀର ମହିଳା । ଯେପରି ଇଫକୋ ଚିଫ ମେଡିକାଲ ଅଫିସର, ସୁପ୍ରିମକୋର୍ଟର ମହିଳା ଆଇନଜୀବୀ, ନ୍ୟାସନାଲ ଇନସୁରାନସ ସଦସ୍ୟ, ୩ ଜଣ ଶିକ୍ଷକ ଓ ଅଧ୍ୟାପିକା, ପ୍ରଫେସରଙ୍କ ସମେତ ଗୃହିଣୀ ଏପରିକି ଆଇଟିବିପିର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭଳି ପଦବିରେ ଥିବା ମହିଳାଙ୍କୁ ମାଟ୍ରିମୋନିଆଲ ସାଇଟରେ ଯୋଗାଯୋଗ କରି ବିବାହ କରିଥିଲା।
କେତେବେଳେ ନିଜକୁ ବିଧୁ ପ୍ରସାଦ ସ୍ବାଇଁ, କେତେବେଳେ ରମଣି ରଞ୍ଜନ, ବିଜୟଶ୍ରୀ ରମେଶ କୁମାର ଓ ରମେଶ କୁମାର ସ୍ବାଇଁ ପରିଚୟ ଦେଇ ଫେକ ଆଧାରକାର୍ଡ କରି ଏଭଳି ଠକାମି କରୁଥିଲା । ଗତ ୦୫.୦୭.୨୦୨୧ରେ ଦିଲ୍ଲୀର ଜଣେ ସ୍କୁଲ ଶିକ୍ଷୟତ୍ରୀ ଭୁବନେଶ୍ବର ମହିଳା ଥାନାରେ ଠକାମିର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଅଭିଯୁକ୍ତ ତାଙ୍କୁ ଗତ ୨୦୧୮ ମସିହାରେ ନୂଆଦିଲ୍ଲୀର ଆର୍ଯ୍ୟ ସମାଜ ମଣ୍ଡଳ ଜନକପୁରୀରେ ବିବାହ କରିଥିଲେ । ବିବାହ ପରେ ତାଙ୍କୁ କିଛିଦିନ ପାଇଁ ଭୁବନେଶ୍ବର ଆଣି ଆଇଗିଣିଆ ଠାରେ ରଖିଥିଲେ । ପରେ ସେ ଜାଣିବାକୁ ପାଇଥିଲେ ଯେ, ସେହି ବ୍ୟକ୍ତି ଜଣକ ତାଙ୍କୁ ନିଜର ମିଥ୍ୟା ପରିଚୟ ଦେଇଛନ୍ତି ଏବଂ ଏହାପୂର୍ବରୁ ଅନେକ ମହିଳାଙ୍କୁ ମଧ୍ୟ ବିବାହ କରିଛନ୍ତି । ତେଣୁ, ସେ ମହିଳା ଥାନାରେ ଏତଲା ଦାଏର କରିଥିଲେ ।
ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗିରଫ କରିବା ପାଇଁ ସ୍ପେଶାଲ ସ୍କାର୍ଡ ସହାୟତାରେ ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଖଣ୍ଡଗିରିର ଏକ ଭଡାଘରରୁ ତାକୁ ଗିରଫ କରାଯାଇଇଥିଲା । ତାଙ୍କ ଘର କେନ୍ଦ୍ରାପଡାର ଭଗବାନପୁର ସିଙ୍ଘଳ ଅଞ୍ଚଳରେ ହୋଇଥିବା ବେଳେ ନାଁ ତା’ର ରମେଶ ଚନ୍ଦ୍ର ସ୍ବାଇଁ ବୋଲି ଜଣାପଡିଛି ।
ଆଜି(ସୋମବାର) ତାଙ୍କୁ ଗିରଫ ପରେ IPCର ଧାରା 498 (a), 468, 471, 494, 419 କୋର୍ଟ ଚାଲାଣ କରାଯାଇଛି । ଏନେଇ ଭୁବନେଶ୍ବର ଡିସିପି କହିଛନ୍ତି, ଅଭିଯୁ୍କ୍ତ ଜଣକ ଦେଶର ବିଭିନ୍ନ ସ୍ଥାନକୁ ଯାଉଥିଲେ ଏବଂ ଅଧିକାଂଶ ସମୟରେ ଆସାମର ଗୌହାଟୀରେ ଅନ୍ୟ ଜଣେ ପତ୍ନୀଙ୍କ ସହ ରହୁଥିଲେ । ରମେଶ ନିଜକୁ ଡେପୁଟି ଡାଇରେକ୍ଟର ଜେନେରାଲ୍, CHERT, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାବରେ ପରିଚୟ ଦେବା ସହ ନିଜକୁ ଅବିବାହିତ ବୋଲି ପରିଚୟ ଦେଇ ବିଭିନ୍ନ ମାଟ୍ରିମୋନିଆଲ ସାଇଟରେ ବିଭିନ୍ନ ପରିଚୟରେ ତାଙ୍କର ବାୟୋଡ଼ାଟା ପୋଷ୍ଟ କରୁଥିଲେ ।