ଭୁବନେଶ୍ବର:ମୁମ୍ବାଇ ପୋଲିସ ପରି କମିଶନରେଟ ପୋଲିସର ବଡଧରଣର ବଟି କଲେକ୍ସନ ସାମନାକୁ ଆସିଛି । ଯାହାର ଖୁଲାସା ଗତ ବୁଧବାର ଓୟୋ ରୁମର ରେଡ ପରେ ସାମନାକୁ ଆସିଛି । ଏହି ଘଟଣାରେ 3 ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ସେମାନଙ୍କୁ ଗିରଫ କରାଯାଇଛି ।
ଏହି ଘଟଣାରେ ଜଡିତ ଥିବା ଆଉ କିଛି କର୍ମଚାରୀ ଖସି ପଳାଇଥିବା ଜଣାପଡିଛି । ହେଲେ ସେଠାରେ ଥିବା ଜଣେ ଅଣ୍ଡରକଭର ଅଫିସରକୁ ରାତିଅଧିଆ ବଦଳି କରାଯିବା ପଛର ରହସ୍ୟ ଏବେ କମିଶନରେଟ ପୋଲିସକୁ ଅଡୁଆରେ ପକାଇଛି । ମୁମ୍ବାଇ ପୋଲିସର ସଚିନ ୱାଜେଙ୍କ ଭଳି ଏହି ଅଣ୍ଡରକଭର ସବ ଇନସ୍ପେକ୍ଟରଙ୍କ କାହାଣୀ ସାମ୍ନାକୁ ଆସିଛି । ସେହି ଦିନ ଘଟଣାସ୍ଥଳରେ ସେ କରୁଥିଲେ କ'ଣ ଏବଂ ଏହି ଅଣ୍ଡରକଭର ଅଫିସରଙ୍କ କାହିଁକି ବଦଳି କରାଗଲା ଏହାକୁ ନେଇ ପ୍ରଶ୍ନ ଉଠିଛି ।
ତେବେ କିଏ ସେହି ଅଫିସରଙ୍କ ସୁପରିୟର ପରମବୀର ସିଂ ଅର୍ଥାତ ଉପର ଅଫିସର ଯିଏକି ତାଙ୍କୁ ଦେଉଥିଲେ ସୁରକ୍ଷା ? ରାତି ୯ଟାରେ ଓୟୋ ରୁମରେ କିଭଳି ନାଟକ ତିଆରି କରାଯାଇଥିଲା। ପ୍ରକୃତରେ କେତେ ଟଙ୍କା ଆସିଥିଲା ଓ ସେହି ଟଙ୍କା କାରବାର ପଛରେ କାହାକୁ ସୁରକ୍ଷା ଦେବାକୁ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ରହିଥିଲା । ଏହିଭଳି ଏବେ ଅନେକ ପ୍ରଶ୍ନ ଏୟାରପୋର୍ଟ ଥାନା ଓୟୋ ଗେଷ୍ଟହାଉସ ଭିତରେ ରହସ୍ୟ ହୋଇଯାଇଛି । କାରଣ ଏହି ଘଟଣା ପରେ କମିଶନରେଟ ପୋଲିସର ଭିତିରିଆ କଲେକ୍ସନରୁ ପରଦା ଉଠିଛି । ତେବେ ପ୍ରଶ୍ନ ଉଠୁଛି ଏହି ଅଣ୍ଡର କଭର କାହା ପାଇଁ କାମ କରୁଥିଲେ ଓ ମୁମ୍ବାଇ ପରି ମାସକୁ ବଟି ପାଇଁ କ'ଣ ଟାର୍ଗେଟ ଦିଆଯାଇଥିଲା ?