ଓଡିଶା

odisha

ETV Bharat / city

ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା - ବଙ୍ଗୋପସାଗରରେ ଲଘୁଚାପ

ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା
ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

By

Published : May 22, 2021, 7:18 AM IST

ଭୁବନେଶ୍ବର: ବଙ୍ଗୋପସାଗରରେ ଆଜି(ଶନିବାର) ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ସପ୍ତାହରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଏହି ଲଘୁଚାପ ଘୂର୍ଣ୍ଣିଝଡ଼ରେ ପରିଣତ ହେଲେ ମେ ୨୬ ତାରିଖରେ ଏହା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏନେଇ ଶିକ୍ଷା ଓ ଅନୁସନ୍ଧାନ ଦ୍ଵାରା ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ମେ ୨୫ ତାରିଖ ସୁଦ୍ଧା ଘୁର୍ଣ୍ଣିଝଡ଼ରେ ପରିଣତ ହେବ ବୋଲି ଆକଳନ କରାଯାଉଛି । ମୁଖ୍ୟତଃ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଓଡିଶା ଉପକୂଳ ମୁହାଁ ହୋଇ ଓଡିଶା -ପଶ୍ଚିମବଙ୍ଗ ଉପକୂଳ ଆଡକୁ ଗତି କରିବ ବୋଲି କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି । ଏହି ଘୁର୍ଣ୍ଣିଝଡ଼ ଓଡିଶାର ଭଦ୍ରକ କିମ୍ବା ବାଲେଶ୍ୱର ଜିଲ୍ଲା ଅଥବା ପଶ୍ଚିମବଙ୍ଗର ଦିଘା ଉପକୂଳ ଦେଇ ଗତି କରିପାରେ ବୋଲି ସେ କହିଛନ୍ତି । ଜଳବାୟୁ ବିଜ୍ଞାନ ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୌସୁମୀର ଆଗମନ ପୂର୍ବରୁ ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଅଧିକାଂଶ ଲଘୁଚାପ ଓ ତହିଁରୁ ଉତ୍ପନ୍ନ ଘୂର୍ଣ୍ଣିଝଡ଼ ପଶ୍ଚିମବଙ୍ଗ ଅଥବା ବାଂଲାଦେଶ ଆଡକୁ ଗତି କରିଥାଏ ।

ଏହି ଲଘୁଚାପ ହୁଏତ ପ୍ରବଳ ଘୁର୍ଣ୍ଣିଝଡ଼ କିମ୍ବା ଘୁର୍ଣ୍ଣିଝଡ଼ର ରୂପ ନେଇ ଉପକୂଳ ଅତିକ୍ରମ କରିପାରେ । ତେବେ ବାତ୍ୟାର ଗତି ଏବଂ ପବନ ବେଗର ସ୍ପଷ୍ଟ ଚିତ୍ର ମେ ୨୪ ରେ ହିଁ ଜଣାପଡିବ । ମୌସୁମୀର ପ୍ରଭାବ ଯୋଗୁଁ ଏହି ଘୂର୍ଣ୍ଣିଝଡ଼ ବିଶେଷଭାବେ ଘନୀଭୂତ ନ ହୋଇପାରେ ବୋଲି ଡକ୍ଟର ସାହୁ କହିଛନ୍ତି ।

ଯଦି ଏହା ବାତ୍ୟାର ରୂପ ନେଇ ଓଡିଶା ଉପକୂଳ ଦେଇ ଗତି କରେ ତେବେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୫ ରୁ ୯୦ କିଲୋମିଟର ରହିବ । ମାତ୍ର ଏହା ଯଦି ପ୍ରବଳ ଘୁର୍ଣ୍ଣିଝଡ଼ର ରୂପ ନିଏ ତେବେ ଏହାର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୧୦୦ କିମି ହୋଇପାରେ । ଏହି ସମୟରେ ଓଡିଶା ଉପକୂଳରେ ପବନର ଗତି ତୀବ୍ରତର ହେବା ସହ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଏବଂ ଯାଜପୁର ପ୍ରଭୃତି ଜିଲ୍ଲାରେ ମେ ୨୫ ତାରିଖ ରାତିରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ପରବର୍ତ୍ତୀ ସମୟରେ ଏହା ବିହାର ଆଡକୁ ଗତି କରିବ ବୋଲି ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details