ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ବିପର୍ଯ୍ୟୟ ନିରୋଧି ପ୍ରଚେଷ୍ଟାକୁ ଦୃଢ଼ିଭୁତ କରିବା ଦିଗରେ ଅନ୍ୟ ଏକ ପଦକ୍ଷେପ ଭାବେ ରାଜ୍ୟ ସରକାର ନୂତନ କାର୍ଯ୍ୟ ଯୋଜନା ଆରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସମନ୍ୱିତ ବୈଠକ । ବୈଠକରେ ଉପକୂଳ ଅଞ୍ଚଳ ପରିଚାଳନା ସୋସାଇଟିର ଷ୍ଟିଅରିଂ କମିଟିରେ ୨୬୧.୫୦ କୋଟି ଟଙ୍କା ଆକଳନର ଏହି କାର୍ଯ୍ୟ ଯୋଜନାକୁ ଅନୁମୋଦନ ଦିଆଯାଇଛି ।
ଲୋକସେବାଭବନରୁ ଭିସିରେ ଅନୁଷ୍ଠିତ ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କାର୍ଯ୍ୟ ଯୋଜନା ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି । ଉପକୂଳ ଜୈବ-ବ୍ୟବସ୍ଥାର ପୁନଃସଂସ୍ଥାପନ ଏବଂ ବିପର୍ଯ୍ୟୟ ସହନଶୀଳ ଜିବୀକା ନିର୍ବାହ ପନ୍ଥାଗୁଡିକ ଉପରେ ଗୁରୁତ୍ୱ ଆରୋପ ପୂର୍ବକ ଏଥିପାଇଁ ଲକ୍ଷ୍ୟ ଭିତ୍ତିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମ ସମୁଦାୟ ସହ ସିଧାସଳଖ ଆଲୋଚନା କରି ଲୋକମାନଙ୍କ ଆବଶ୍ୟକତା ଓ ସଂପୃକ୍ତ ଅଞ୍ଚଳର ସମ୍ବଳ ଅନୁସାରେ ନିରନ୍ତର ଜିବୀକା କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଲଗାତର ଭାବେ ଜଳବାୟୁ ଜନିତ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଗ୍ରାମମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏଥିରେ ସାମିଲ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଉପକୂଳ ଅଞ୍ଚଳରେ ମଙ୍ଗଳାଯୋଡ଼ି ଓ ଭିତରକନିକା ପରି ଅଧିକ ଇକୋ-ଟୁରିଜିମ୍ ଯୋଗ୍ୟ ସ୍ଥାନଗୁଡିକୁ ଚିହ୍ନଟ କରି ଗ୍ରାମ ସମୁଦାୟ ମାଧ୍ୟମରେ ସେଗୁଡିକର ବିକାଶ କରିବା ପାଇଁ ସେ ଜଙ୍ଗଲ ଓ ପରିବେଶ ଏବଂ ପର୍ଯ୍ୟଟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ସ୍ଥାନଗୁଡିକରେ ବୋଟିଂ, ବନ୍ୟଜନ୍ତୁ ଦର୍ଶନ ଓ ଫୁଡ଼କୋର୍ଟ ଆଦିର ସୁବିଧା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସ୍ଥାନୀୟ ଲୋକମାନଙ୍କ ପାଇଁ ଏକ ନିରନ୍ତର ଜିବୀକା ପନ୍ଥା ଉନ୍ମୁକ୍ତ କରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।